ଶାସକ ବିଜେଡି ପାଇଁ ସମିତିସଭ୍ୟ ଯୋଗାଡ ନକରୁ ପୁଲିସ: ଡ. ଲେଖାଶ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସରିଛି ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନ। ବର୍ତ୍ତମାନ ବିଜେଡି କର୍ମୀଙ୍କ ଜନ ସମର୍ଥନର ବାହାସ୍ପୋଟ ମାରିବା ସହିତ ପ୍ରକୃତ ଗୁଣ୍ଡାଗିରିର ଚିତ୍ର ସାମ୍ନାକୁ ଆସିଛି। ବିଜେଡିର ଗୁଣ୍ଡା ଓ ନେତାମାନଙ୍କ ଦ୍ଵାରା ବିଜେପି ସମର୍ଥ ବିଜୟୀ ସମିତି ସଭ୍ୟ ସଦସ୍ୟମାନଙ୍କ ଉପରେ ମିଛ ଆରୋପ ଲଗାଇବା ସହ ଘର ଉପରକୁ ବୋମାମାଡ କରାଯାଉଛି। ବିଜେପି ସମର୍ଥିତ ବିଜୟୀ ସମିତି ସଭ୍ୟଙ୍କ ଘରେ ଗଞ୍ଜେଇ ରଖୁବାର ଧମକ ଦେଉଛନ୍ତି ଶାସକ ଦଳର ନେତାମାନେ। ପଞ୍ଚାୟତ ନିର୍ବାଚନ ସମୟରେ ବିଜେଡି ମନ୍ତ୍ରୀ ଓ ନେତାଙ୍କ ଗୁଣ୍ଡାଗିରି ସାମ୍ନାକୁ ଆସିଥିଲା। ଏବେ ବ୍ଲକ ଅଧ୍ୟକ୍ଷ ପଦବୀ ନିର୍ବାଚନ ଆଗକୁ ଥିବାବେଳେ ପୁଣି ବିଜେଡି ନେତାଙ୍କ ଗୁଣ୍ଡାଗିରି ଦେଖିବାକୁ ମିଳିଛି। ବିଜେଡିର ଏହି ଅଗଣତାନ୍ତ୍ରୀକ ଏବଂ ହୀନ କାର୍ଯ୍ୟରେ ସହାୟତା କରୁଛନ୍ତି ସ୍ଥାନୀୟ ପୁଲିସ ପ୍ରଶାସନ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ଚଂଚକତା ଓ ଷଡଯନ୍ତ୍ର ରଚି ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ଶାସକ ବିଜେଡି ବର୍ତମାନ ପଂଚାୟତ ନିର୍ବାଚନରେ ଜୟଲାଭ କରିଥିବା ବିଜେପି ସମର୍ଥିତ ସରପଂଚ ଏବଂ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଭୟଭୀତ କରି ପ୍ରଭାବିତ କରୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ। ମିଥ୍ୟା ଅରୋପ ଲଗାଇ ବିଜେପି ସମର୍ଥିତ ସଦସ୍ୟଙ୍କ ଘରର ତାଲା ଭାଙ୍ଗି ଜୋରଜବରଦସ୍ତ ପଶି ଆତଙ୍କରାଜ ସୃଷ୍ଟି କରୁଛି ପୁଲିସ। ଏନେଇ ପୁରୀ ଜିଲ୍ଲା ପୁଲିସ ଏସପିଙ୍କୁ ପଚାରିବାରୁ ଅପହରଣର ସଫେଇ ଦେଉଛନ୍ତି, ଯାହାକି ସମ୍ପୂର୍ଣ୍ଣ ମିଥ୍ୟା। ସ୍ଥାନୀୟ ପୁଲିସ ସବୁକିଛି ଜାଣି ନଜାଣିଲା ଭଳି ଶାସକ ବିଜେଡିକୁ ଜିତାଇବା ପାଇଁ ଏଭଳି ହୀନକାର୍ଯ୍ୟର ଅଂଶବିଶେଷ ସାଜିଛି। ଗଣତନ୍ତ୍ର ପଦ୍ଧତିରେ ଜୟଯୁକ୍ତ କରିଥିବା ଲୋକପ୍ରତିନିଧି ମାନଙ୍କୁ ଧମକ, ଚମକ ଓ ଆକ୍ରମଣ କରି ଭୟଭୀତ ଏବଂ ପ୍ରଭାବିତ କରିଲେ ପଞ୍ଚାୟତ ସମିତି ନିର୍ବାଚନ ନିରପେକ୍ଷ କିପରି ହୋଇପାରିବ? ବିଜେଡି ଏଭଳି ଗୁଣ୍ଡାଗିରି କରି ଭୋଟ ହାତେଇବା ଆଇନ ସଂଗତ ନୁହେଁ ବୋଲି ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଏହି ପ୍ରସଙ୍ଗରେ ବିଜେପିର ଏକ ପ୍ରତିନିଧ୍ଵ ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିବା ସହିତ ଆଇନ ଭଙ୍ଗକାରୀ ପୁଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି। ଏହି ପ୍ରତିନିଧ୍ଵ ଦଳରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ, ପୂର୍ବତନ ବିଧାୟକ ରବି ମଲ୍ଲିକ, ଲିଗାଲ ସେଲର ରବିଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।