ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସ ଗୁଳି

ଭୁବନେଶ୍ୱର,ଏନଏନଏସ୍: ରାଜଧାନୀରେ ପୁଣି ଏନକାଉଣ୍ଟର । କଳିଙ୍ଗନଗର ଉପକଣ୍ଠ କେ-୭ ନିକଟରେ ଦୁର୍ଦ୍ଦାନ୍ତ ଡକାୟତ ସୁଶାନ୍ତ ମାଝି ପୁଲିସ ଗୁଳିରେ ଆହତ ହୋଇଛି । ସୁଶାନ୍ତର ଘର ନୟାଗଡ଼। ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଜିଲ୍ଲା ବାହାରର କିଛି ଅପରାଧୀ ମାରଣାସ୍ତ୍ର ସହ କଳିଙ୍ଗନଗର ଅଞ୍ଚଳରେ ବୁଲୁଥିବା ପୁଲିସକୁ ଖବର ପାଇ ସ୍ପେଶାଲ ସ୍କ୍ୱାଡ୍ ସାହାଯ୍ୟରେ ଖଣ୍ଡଗିରି ଓ ତମାଣ୍ଡୋ ଥାନା ପୁଲିସ ସେମାନଙ୍କୁ ଠାବ କରିବାକୁ ଉଦ୍ୟମ କରିଥିଲେ ।

କଳିଙ୍ଗନଗର କେ-୭ ନିକଟସ୍ଥ ଏକ ନିଛାଟିଆ ଜାଗାରେ ପୁଲିସ ସେମାନଙ୍କୁ ଠାବ କରିଥିଲା । ପୁଲିସକୁ ଦେଖି ସେମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ । କିଛିବାଟ ଗୋଡାଗୋଡି ପରେ ପୁଲିସ ଓ ଅପରାଧୀ ଗ୍ୟାଙ୍ଗ ମୁହାଁମୁହିଁ ହୋଇଥିଲେ । ଏଥିରେ ଦୁର୍ଦ୍ଦାନ୍ତ ସୁଶାନ୍ତ ପୁଲିସ ଉପରକୁ ଗୁଳିମାଡ଼ କରିଥିଲା । ଗୁଳି ମାଡରେ ସ୍ପେଶାଲ ସ୍କ୍ୱାଡ୍ ଏସିପି ସଞ୍ଜୀବ ଶତପଥୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପାଲଟା ଗୁଳିମାଡ କରିଥିଲା । ଭଉୟ ପକ୍ଷରୁ ପ୍ରାୟ ୫ରାଉଣ୍ଡ ଗୁଳିମାଡ ପରେ ପୁଲିସ ଗୁଳିରେ ସୁଶାନ୍ତ ଆହତ ହୋଇଥିଲା । ସୁଶାନ୍ତର ବାମଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲା । ପରେ ପୁଲିସ ତାକୁ ହେପାଜତକୁ ନେବାସହ ତା’ ନିକଟରୁ ଗୋଟିଏ ବନ୍ଧୁକ, ୫ରାଉଣ୍ଡ ଗୁଳି ଜବତ କରିଥିଲା । ତେବେ ସୁଶାନ୍ତ ଧରାପଡ଼ିବା ପରେ ଅନ୍ୟମାନେ ଖସି ପଳାଇଯାଇଥିଲେ ।

ଗୁରୁତର ଅବସ୍ଥାରେ ସୁଶାନ୍ତକୁ ପ୍ରଥମେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାକୁ କଟକ ବଡ଼ମେଡିକାଲକୁ ପଠାଇ ଦିଆଯାଇଛି । ତେବେ ପୂର୍ବରୁ ସୁଶାନ୍ତ ନାଁ’ରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି ଓ ରାହାଜାନୀ ଭଳି ସଙ୍ଗୀନ ମାମଲା ରହିଛି । ଉକ୍ତ ଘଟଣାରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।