ଆଉ ଦୁଇ ମାସ ସାମାଜିକ ଦୂରତା ରଖିବାକୁ ପଡ଼ିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୩ ତାରିଖରେ ସରିବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ। ଲକ୍ ଡାଉନ ଉଠିବା ପରେ ଦୋକାନ ବଜାରରେ ଲୋକଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳିବ। କରୋନା ଭୂତାଣୁର ପ୍ରକୋପ କମିନଥିବା ବେଳେ ସାମାଜିକ ଦୂରତା ବଜାୟ ରଖିବା ହିଁ ଆମ ପାଇଁ ହିତକର। ସାମାଜିକ ଦୂରତା ଓ ହାତ ସଫା ରଖିବା ଦ୍ୱାରା ହିଁ କରୋନା ସହ ଆମେ ମୁକାବିଲା କରିପାରିବା। ତେବେ ଏହାକୁ ଲକ୍ଷ୍ୟ କରି ବାହାରକୁ ବାହାରିବା ବେଳେ ଲୋକଙ୍କ ଆଚରଣ ଓ ଦୋକାନ ବଜାର ଖୋଲିବା ସମ୍ପର୍କିତ ନିୟମ ନେଇ କମିଶନରେଟ ପୁଲିସ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନିର୍ଦ୍ଦେଶନାମା ଉଭୟ କଟକ ଓ ଭୁବନେଶ୍ୱର ସହର ପାଇଁ ଆଗାମୀ ୬୦ଦିନ ତଥା ୨ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ।

କମିଶନରେଟ ପୁଲିସର ନିର୍ଦ୍ଦେଶ ଅନୁସାରେ, ସାମାଜିକ ବ୍ୟବଧାନ କହିଲେ ଯେ କୌଣସି ୨ଜଣ ବ୍ୟକ୍ତିଙ୍କ ମଧ୍ୟରେ ଦୂରତା ୨ମିଟର ତଥା ୬ଫୁଟ୍ ବୋଲି ପରିଗଣିତ କରାଯିବ। ଏହି ସଂଖ୍ୟକ ଦୂରତ୍ୱ ମୁଣ୍ଡରେ ରଖି ଲୋକମାନେ ବଜାର ଘାଟରେ ଯିବା ଆସିବା କରିବା ସହ ଜିନିଷ କିଣାକିଣି କରିପାରିବେ। ସବୁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ନିଜ ପରିସର ଓ ଆଖପାଖ ଅଞ୍ଚଳରେ ସାମାଜିକ ବ୍ୟବଧାନ ରଖିବା ପାଇଁ ପଦକ୍ଷେପ ନେବେ। ଏହାସହ ଯେମିତି ସାମାଜିକ ଦୂରତା ଉଲ୍ଲଙ୍ଘନ ନ ହେବ ସେଥିପ୍ରତି ମଧ୍ୟ ଧ୍ୟାନ ଦେବେ।