ଟୋକିଓ,ଏଜେନ୍ସି: ଶେଷ ହୋଇଛି ଜାପାନରେ ଆୟୋଜିତ ୪ର୍ଥ କ୍ବାଡ ସମ୍ମିଳନୀ। ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବଦେଶ ଅଭିମୁଖେ ଉଡାଣ ଭରିଛନ୍ତି। ଆଜି (ମଙ୍ଗଳବାର) ଦିନବ୍ୟାପୀ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ସନ୍ଧ୍ୟାରେ ରାଜଧାନୀ ଟୋକିଓ ବିମାନବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ପ୍ରଧାନମନ୍ତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି।
ନିଜ ପ୍ରସ୍ଥାନ ପୂର୍ବ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସମ୍ମିଳନୀରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ସଦସ୍ୟ ରାଷ୍ଟ୍ରମାନଙ୍କ ସହ ଦ୍ବିପାକ୍ଷିକ ତଥା ରଣନୈତିକ ସମ୍ପର୍କ ମଧ୍ୟ ସୁଦୃଢୀକରଣ ହେବା ନେଇ ପରସ୍ପର ରାଷ୍ଟ୍ରମୁଖ୍ୟମାନେ ଆଲୋଚନାର ଅବସର ପାଇଲେ। ସମ୍ମିଳନୀରେ ଅଂଶଗ୍ରହଣ କରିବା ଭାରତ ପାଇଁ ଲାଭଦାୟକ ହେବା ନେଇ ସେ ନିଜ ଟ୍ବିଟରେ ଉଲ୍ଲେଖ କରିଛନ୍ତି।
ଦୁଇ ଦିନିଆ ଜାପାନ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ସେଠାରେ ସେ ଅନ୍ୟ ୩ କ୍ବାଡ ସଦସ୍ୟ ରାଷ୍ଟ୍ର ଜାପାନ ଆମେରିକା, ଅଷ୍ଟ୍ରେଲିଆର ରାଷ୍ଟ୍ରମୁଖ୍ୟଙ୍କ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହା ବ୍ୟତୀତ ଦୁଇ ଦିନିଆ ଗସ୍ତରେ ସେ ଜାପାନରେ ଥିବା ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବା ସହ ଜାପାନରେ ଏକ ଉଚ୍ଚସ୍ତରୀୟ ବିଜିନେଶମ୍ୟାନଙ୍କ ଟିମ ସହ ରାଉଣ୍ଡ ଟେବୁଲ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଏହି ଆଲୋଚନାରେ ଭାରତରେ ନିବେଶ କରିବା ପାଇଁ ଜାପାନର ବ୍ୟବସାୟୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରତ୍ସାହିତ ମଧ୍ୟ କରିଥିଲେ। ତେବେ ଚଳିତ ଥର ଏହି ଶିଖର ସମ୍ମିଳନୀର ଆୟୋଜନ ଜାପାନ ରାଜଧାନୀ ଟୋକିଓରେ ହୋଇଥିବାବେଳେ ଆସନ୍ତା ତଥା ଏହି ଶୃଙ୍ଖଳାର ୫ମ ସଂସ୍କରଣ ଅଷ୍ଟ୍ରେଲିଆରେ ହେବା ନେଇ ସଦସ୍ୟ ରାଷ୍ଟ୍ରମାନେ ସହମତି ପ୍ରକାଶ କରିଛନ୍ତି। ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ସଂନ୍ଧ୍ୟାରେ ରାଜଧାନୀ ଟୋକିଓରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।