ବଦଳିଲା ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସଫେଲ୍ ନିଷ୍ପତ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯୁକ୍ତ ଦୁଇ ପିଲାଙ୍କ ପ୍ରଥମ ବର୍ଷ ପରୀକ୍ଷାରେ ପାସଫେଲ ନିଷ୍ପତ୍ତିକୁ ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ବଦଳାଇଛନ୍ତି। ଏଥିସହ ସେ କହିଛନ୍ତି ଯେ ଏହି ନିଷ୍ପତ୍ତିକୁ ନେଇ ପିଲାମାନେ ପ୍ରସ୍ତୁ ନାହାନ୍ତି ତେଣୁ ଏ ନେଇ ଏହା ଉପରେ ପୁନର୍ବିଚାର କରାଯିବ। ତେବେ ଏହା ଆସନ୍ତାବର୍ଷରୁ ହେବ ଲାଗୁ ହେବ ବୋଲି କହିଛନ୍ତି। ସୂଚନା ଅନୁସାରେ ଯୁକ୍ତ ଦୁଇ ପିଲାଙ୍କ ପ୍ରଥମ ବର୍ଷ ପରୀକ୍ଷାରେ ପାସଫେଲ ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିବା ସହିତ ରାଜ ରାସ୍ତାକୁ ଓହ୍ଲାଇଥିଲେ। ଏ ନେଇ ରମାଦେବୀ ବିଶ୍ୱବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ୟୁନିଭରସିଟି ରାସ୍ତାକୁ ଅବରୋଧ କରିବା ସହ ନିଷ୍ପତିକୁ ବାତିଲ କରିବାକୁ ଦାବି କରିଥିଲେ ।

ଆନ୍ଦୋଳନ ରତ ଛାତ୍ରୀମାନେ କହିଥିଲେ ଯଦି ସରକାର ଏଭଳି ନିଷ୍ପତି ନେବାର ଥିଲା ତେବେ ପରୀକ୍ଷାର ମାସେ ପୂର୍ବରୁ କାହିଁକି ନେଲେ, ୬ ମାସ ଆଗରୁ ଏଭଳି ନିଷ୍ପତି ନେଇଥିଲେ କିଛି ଅସୁବିଧା ନଥିଲା । ଫେବୃଆରୀ ମାସରେ ପରୀକ୍ଷା ହେବାକୁ ଥିବାବେଳେ ହଠାତ୍ ଜାନୁଆରୀରୁ ଏମିତି ଘୋଷଣା କରିବା ଠିକ୍ ନୁହେଁ । ଯଦି ଏହି ନିଷ୍ପତିକୁ ସରକାର ଲାଗୁ କରିବାକୁ ଚାହୁଁଛନ୍ତି ତେବେ ସରକାର ଏପ୍ରିଲ ମାସରେ ପ୍ରଥମ ବର୍ଷ ପରୀକ୍ଷା କରନ୍ତୁ । ଏ ପର୍ୟ୍ୟନ୍ତ ପ୍ରଥମ ବର୍ଷର ପାଠପଢ଼ା ଶେଷ ହୋଇ ନାହିଁ । ଚଳିତ ବର୍ଷଠାରୁ +୨ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ୩୩ ପ୍ରତିଶତ ମାର୍କ ନରଖିଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ ବୋଲି ଗତ ୧୪ ତାରିଖରେ ଘୋଷଣା କରିଥିଲେ ଗଣଶିକ୍ଷା ମନ୍ତ୍ରୀ । ଏଥିପାଇଁ ପିଲାମାନଙ୍କୁ ଦୁଇଟି ସୁଯୋଗ ଦେବାକୁ କହିଥିଲେ ମନ୍ତ୍ରୀ । କିନ୍ତୁ ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ ।