ରାଜ୍ୟରେ ପ୍ଲାଜ୍‌ମା ଥେରାପି ସଫଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପ୍ଲାଜ୍‌ମା ଥେରାପି ସଫଳ ହୋଇଛି। ଆଜି ସୁଦ୍ଧା ୪ ଜଣଙ୍କ ଠାରୁ ୮ ୟୁନିଟ୍ ପ୍ଲାଜ୍‌ମା ସଂଗ୍ରହ କରାଯାଇଥିବା ବେଳେ ୬ଟି ୟୁନିଟ ବ୍ୟବହାର କରାଯାଇଛି। ସମ କୋଭିଡ ହସ୍ପିଟାଲର ୪ ଜଣ ଏବଂ ଅଶ୍ୱିନୀ କୋଭିଡ ହସ୍ପିଟାଲର ୨ ଜଣ କରୋନା ରୋଗୀଙ୍କୁ ଏହି ପ୍ଲାଜ୍‌ମା ଥେରାପି ଦିଆଯାଇଥିଲା। ଏଥିରେ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଜଣାପଡ଼ିଛି। ତେବେ ଏହି ୪ ଜଣଙ୍କର ଆଉ ଅକ୍ସିଜେନ ସପୋର୍ଟ ଆବଶ୍ୟକ ନଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି କୁହାଯାଉଛି। ସେହିପରି ବାକି ୨ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନେ ଶୀଘ୍ର ବିପଦମୁକ୍ତ ହେବେ ବୋଲି ଆଶା ରଖାଯାଇଛି।

ସୂଚନା ଯୋଗ୍ୟ ଯେ ରାଜ୍ୟରେ ପ୍ଲାଜ୍‌ମା ଥେରାପି ଆରମ୍ଭ କରିବା ଉଦ୍ଦେଶ୍ୟରେ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସ୍‌ସିବି ମେଡିକାଲ କଲେଜ, କଟକଠାରେ ପ୍ଲାଜ୍‌ମା ଭଣ୍ଡାରର ଉଦଘାଟନ କରିଥିଲେ। ପ୍ଲାଜ୍‌ମା ଦାନ ପାଇଁ କରୋନା ଆରୋଗ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କରିବା ପରେ ଅଧିକରୁ ଅଧିକ ଲୋକ ଏହି ମିଶନରେ ଯୋଗଦେବାକୁ ଆଗେଇ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ୮୦ ଜଣ ଯବାନ ପ୍ଲାଜ୍‌ମା ଦାନ କରିବା ନିମନ୍ତେ ଏସ୍‌ସିବିରେ ପହଞ୍ଚିଥିବା ଜଣାପଡ଼ିଛି।