ବିତର୍କରେ ପିଜିଆଇ-୨.୦ ରିପୋର୍ଟ: ମୂଲ୍ୟାଙ୍କନ ମାନଦଣ୍ଡକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷାବର୍ଷ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ପ୍ରଦର୍ଶନ ଗ୍ରେଡିଂ ସୂଚକାଙ୍କ (ପିଜିଆଇ)-୨.୦ରେ ଓଡ଼ିଶାର ସ୍ଥାନ ତଳକୁ ଖସିବାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ଓଡ଼ିଶାକୁ ମାତ୍ର ୫୧୭.୧ ସ୍କୋର ମିଳିବା ସହ ୨୪ତମ ସ୍ଥାନକୁ ଖସିଯିବା ବିଷୟକୁ ସହଜରେ ଅନେକ ଗ୍ରହଣ କରିପାରୁନାହାନ୍ତି । ବର୍ଷକରେ ୧୦ମ ସ୍ଥାନରୁ ଓଡ଼ିଶାର ସ୍ଥାନ ୨୪କୁ କିପରି ଚାଲିଗଲା, ଏନେଇ ପ୍ରଶ୍ନ ଉଠିଛି । ଓଡ଼ିଶାଠାରୁ ଦୁର୍ବଳ ରାଜ୍ୟ ଉନ୍ନତ ପ୍ରଦର୍ଶନ କରି ଉପରକୁ ଉଠିଥିବାବେଳେ ଓଡ଼ିଶା କାହିଁକି ତଳକୁ ଖସିଲା, ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ସରକାରୀ ଭାବେ ନହେଲେ ମଧ୍ୟ ଅଣଆନୁଷ୍ଠାନିକ ଭାବେ ଏହି ରିପୋର୍ଟକୁ ଓଡ଼ିଶା ଏକପ୍ରକାର ଖଣ୍ଡନ କରିଛି ।

ଅସମର୍ଥିତ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ସଦ୍ୟ ପ୍ରକାଶିତ ପିଜିଆଇ ୨୦୨୧-୨୨ ରିପୋର୍ଟରେ ତଥ୍ୟର ଭୁଲ୍ ପରିଚାଳନା, ଭୁଲ୍ ସୂଚନା ପାଇଁ ଓଡ଼ିଶାର ସ୍ଥାନ ତଳେ ରହିଛି । ମୋ-ସ୍କୁଲ ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରି ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରୁଥିବାବେଳେ ଶିକ୍ଷା ମନ୍ତ୍ରାଳୟ ଏହାକୁ ନଜର ଦେଇନି । ବିଦ୍ୟାଞ୍ଜଳି ପୋର୍ଟାଲ ଉତ୍ସ ଆଧାରରେ ଦୁର୍ବଳ ସ୍କୋର ଓଡ଼ିଶାର ପିଜିଆଇ ସୂଚକାଙ୍କକୁ ପ୍ରଭାବିତ କରିଛି । ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସଫଳତାର ସହ ବିଦ୍ୟାଳୟ ଭିତ୍ତିଭୂମି ରୂପାନ୍ତରିତ ହୋଇଥିବାବେଳେ ଆବଶ୍ୟକ ସମ୍ବଳ ଯୋଗାଇ ଦିଆଯାଇଛି ।

ଏଥିସହ ରାଜ୍ୟବ୍ୟାପୀ ଉତ୍ତମ ଶୈଖିକ ବାତାବରଣ ସୃଷ୍ଟିହୋଇଛି । ମୋ ସ୍କୁଲର ସଫଳତାକୁ ଦେଖି କେନ୍ଦ୍ର ସରକାର ଅନୁରୂପ ଭାବେ ବିଦ୍ୟାଞ୍ଜଳି ୨.୦ ଆରମ୍ଭ କରିଥିଲେ । ୨୦୨୧-୨୨ ପିଜିଆଇ ସ୍କୋରରେ ଓଡ଼ିଶାର ପ୍ରୟାସକୁ ଦୃଷ୍ଟି ଦିଆଯାଇନି । ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ରାଜ୍ୟ ସରକାରଙ୍କ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ବିଦ୍ୟାଳୟଗୁଡ଼ିକ ରୂପାନ୍ତରିତ ହେଉଛି । ବିଦ୍ୟାଳୟ ଓ ଗଣଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିବର୍ତ୍ତନକାରୀ ସାଜିଛି ।

ଶିକ୍ଷା ମନ୍ତ୍ରାଳୟ ପୁନଃମୂଲ୍ୟାୟନ ସହ ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପଦକ୍ଷେପର ଏକ ସ୍ୱଚ୍ଛ ମୂଲ୍ୟାଙ୍କନ କରିବା ଆବଶ୍ୟକ ଥିବା ଦର୍ଶାଯାଇଛି । ଅନ୍ୟପକ୍ଷରେ ଏଥର ପିଜିଆଇ ସ୍କୋରିଂରେ ଘରୋଇ ବିଦ୍ୟାଳୟଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ଫଳରେ ରାଜ୍ୟର ସାମଗ୍ରିକ ପ୍ରଦର୍ଶନ ଖରାପ ହୋଇଛି । ମୂଲ୍ୟାଙ୍କନ ମାନଦଣ୍ଡରେ ଏହି ପରିବର୍ତ୍ତନ ଉପରେ ବିଚାର କରାଯିବା ଜରୁରୀ ବୋଲି କୁହାଯାଇଛି । ତେବେ ଏହାକୁ ନେଇ ରାଜ୍ୟରେ ଏକ ପ୍ରକାର ରାଜନୀତି ଆରମ୍ଭ ହୋଇଥିବା ବଳେ ଶିକ୍ଷାବିତ୍‌ମାନେ ବିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି ।