ପାଟଣା,ଏନ୍ଏନ୍ଏସ୍ : ନାରୀ ସର୍ବଂସହା, ସେଥିପାଇଁ ସେ ମହିୟସୀ। ୮ ମାସର ଗର୍ଭବତୀ ଅସହ୍ୟ ଯନ୍ତ୍ରଣାକୁ ଖାତିର ନକରି ଅବିରତ କର୍ତ୍ତବ୍ୟ କରି ଚାଲିଛନ୍ତି। ଏହି କରୋନା ଯୋଦ୍ଧା ହେଉଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ଥାନାର କନେଷ୍ଟବଳ ବିମଳା ମାନସିଂ। ପ୍ରଚଣ୍ଡ ଖରା ଓ ବର୍ଷାକୁ ଖାତିର ନକରି ୮ ମାସର ଗର୍ଭବତୀ ବିମଳା ଘଡିସନ୍ଧି ମୁହୁର୍ତ୍ତରେ ବିଭିନ୍ନ ଚେକ୍ ପୋଷ୍ଟରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ଦୁନିଆ ଦେଖିବା ଆଗରୁ ଗର୍ଭସ୍ଥ ଶିଶୁ ନିଜ ମା’ଙ୍କ କର୍ତ୍ତବ୍ୟନିଷ୍ଠା ଦେଖି ସତେ ଯେମିତି ଅଶ୍ଚର୍ଯ୍ୟଚକିତ ହୋଇ ପଡ଼ିଛି। ଜନସାଧାରଣଙ୍କୁ ସୁରକ୍ଷା ଦେବାକୁ କର୍ତ୍ତବ୍ୟକୁ ଆଗ ଭାବି ଆଗ ଧାଡିରେ ଯୋଦ୍ଧା ସାଜିଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ଥାନାର କାର୍ଯ୍ୟରତ ମହିଳା ସି ୪୯ କନେଷ୍ଟବଳ ବିମଳା ମାନସିଂ। ଗର୍ଭ ଯନ୍ତ୍ରଣାକୁ ଦେହରେ ଚାପି ଆଶାର ଆଲୋକ ଅପେକ୍ଷାରେ ଥିବା ଦୁନିଆକୁ ଦେଖି ନଥିବା ଶିଶୁର ମମତାକୁ ବାଦ ଦେଇ ଲୋକଙ୍କୁ ସେବା ଦେବା ପାଇଁ ଆଗେଇ ଆସିଛନ୍ତି ମହିଳା କନେଷ୍ଟବଳ ବିମଳା ।
କରୋନା ସଂକ୍ରମଣକୁ ଭୟ ନ କରି ଦିନ ରାତି ଏକ କରି ଲୋକଙ୍କୁ ସେବା ଯୋଗାଉଛନ୍ତି। ମା’ର ମମତା ଆଗରେ ଅଞ୍ଚଳ ବାସୀଙ୍କ ସୁରକ୍ଷା ବିମଳାଙ୍କୁ କର୍ତ୍ତବ୍ୟ ଆଡ଼କୁ ଟାଣି ନେଇଛି। ବିବାହର ଦୀର୍ଘ ବର୍ଷ ପରେ ଅନେକ ଦେବାଦେବୀଙ୍କୁ ପୂଜା କରି ଭଗବାନ ତାଙ୍କ କୋଳକୁ ରକ୍ଷା କରିଛନ୍ତି। ସଂକ୍ରମଣକୁ ଖାତିର ନ କରି ବିଭିନ୍ନ ଚେକ ପୋଷ୍ଟରେ ଖରା ବର୍ଷାରେ ନିଜ ଦାୟିତ୍ୱ ସମ୍ପନ୍ନ କରୁଛନ୍ତି। ତାଙ୍କ ନିଷ୍ଠାପର କର୍ତ୍ତବ୍ୟ ପାଇଁ ପାଟଣା ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା ବିମଳାଙ୍କୁ ସାଧୁବାଦ ଜଣାଇଛନ୍ତି।
ପ୍ରତେକ ଦିନ ନିଜର ଦୈନନ୍ଦିନ କାମ ସାରି ନିଜ ଅଞ୍ଚଳର ଲୋକଙ୍କ ଆଶାର ଆଲୋକ ସାଜି ମାତୃତ୍ୱର ମମତାକୁ ପଛାଇ ଥାନାକୁ ବାହାରି ଯାଆନ୍ତି ବିମଳା। ତେବେ ବିମଳାଙ୍କ ୮ ମାସର ଗର୍ଭବତୀ ଅବଗତ ପରେ ପାଟଣା ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା ବିମଳାଙ୍କୁ ଚେକ ପୋଷ୍ଟରେ ଡ୍ୟୁଟି ନ ଦେଇ ଥାନା ପରିସରରେ ରହି କାର୍ଯ୍ୟ କରିବା ପାଇଁ କହିଛନ୍ତି। ଏପରି ପରିସ୍ଥିତିରେ ବିମଳା କରୋନା ପରି ମହାମାରୀରେ ନିଜ ସେବାକୁ କର୍ତ୍ତବ୍ୟ ଭାବି ଆଗକୁ ଆସି କାର୍ଯ୍ୟ କରୁଥିବାରୁ ଜିଲ୍ଲା ପ୍ରଶାସନ ଏବଂ ପାଟଣା ଅଞ୍ଚଳର ବୁଦ୍ଧିଜୀବି ବିମଳାଙ୍କୁ ଧନ୍ୟବାଦ ଜଣାଇଛନ୍ତି।