ପାଟଣାଗଡ଼ ଗଣହତ୍ୟାର ପର୍ଦ୍ଦାଫାସ : ୭ ଅଭିଯୁକ୍ତ ଗିରଫ , ୨ ଫେରାର

ପୂର୍ବ ଶତ୍ରୁତା ହିଁ ହତ୍ୟାକାଣ୍ଡର କାରଣ

ବଲାଙ୍ଗିର/ପାଟଣାଗଡ଼,ଏନ୍ଏନ୍ଏସ୍: ବହୁଚର୍ଚ୍ଚିତ ସଅଁରାପଡ଼ା ଗଣହତ୍ୟାର ପର୍ଦ୍ଦାଫାସ କରିଛି ପୁଲିସ । ପୂର୍ବଶତ୍ରୁତା ଓ ଆକ୍ରୋଶରୁ ହତ୍ୟାକାଣ୍ଡ ସଂଗଠିତ ହୋଇଥିବା ପାଟଣାଗଡ଼ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍ପି ସନ୍ଦୀପ ମଡକର। ଘଟଣାରେ ୭ଅଭିଯୁକ୍ତଙ୍କୁ ଗିରଫ କରା ଯାଇଥିବା ବେଳେ ୨ଜଣ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ସଅଁରାପଡ଼ାର ବାବୁଲାଲ ଜାନୀ (୫୫), ନବରଙ୍ଗପୁର ଝରିଗାଁ ଅଞ୍ଚଳ ଦେଓଳକନା ଗାଁର ଛାୟା ଗୋଣ୍ଡ (୨୬) , ବଳଦେବ ଗୋଣ୍ଡ(୨୭) , ମନୀଷ ଗୋଣ୍ଡ(୨୪) , ସଅଁରାପଡ଼ାର ଭୋଲା ଜାନୀ (୨୦) , ଶିବ ଜାନୀ (୧୯) ଓ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାର ବିକଳ କାଏରୀ ଓରଫ ସିଂହ(୨୦) । ପୁଲିସ ଏମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ହାତୁଡ଼ି , ଲୁହା ରଡ୍ , ଟାଙ୍ଗିଆ , ଖଣ୍ଡା , ଫାର୍ସା ଓ ଏକ ବୋତଲ ପେଟ୍ରୋଲ ଜବତ କରିଛି ।

ଏସପିଙ୍କ ସୂଚନା ଅନୁଯାୟୀ , ବୁଲୁ ଜାନୀ ପରିବାର ଓ ବାବୁଲାଲ ଜାନୀ ପରିବାର , ଗୋଣ୍ଡ ପରିବାର ତଥା ଗଙ୍ଗୁଆ ପରିବାର ମଧ୍ୟରେ ବିଭିନ୍ନ ଘଟଣାକୁ ନେଇ ଦୀର୍ଘ ବର୍ଷ ହେଲା ଶତ୍ରୁତା ଲାଗି ରହିଥିଲା । ତେବେ ଗତ ଅକ୍ଟୋବର ମାସରେ ବାବୁଲାଲ ଜାନୀ ନିଲଜୀ ନାମକ ଏକ ସ୍ଥାନକୁ ଯାଇଥିଲା। ସେଠାରେ ସେ ଗଙ୍ଗୁଆ ମାଝି ଓ ମନୀଷ ଗୋଣ୍ଡ ସହିତ ମିଶି ଜାନୀ ପରିବାରର ନିପାତ ଷଡ଼ଯନ୍ତ୍ର ରଚିଥିଲା । ହତ୍ୟାକାଣ୍ଡ ପାଇଁ ଗଙ୍ଗୁଆ ମାଝି ଓ ତାଙ୍କର ସହଯୋଗୀମାନଙ୍କୁ ଏକ ଲକ୍ଷ ଟଙ୍କାର ସୁପାରୀ ଦିଆଯିବ କହିଥିଲା । ଅଭିଯୁକ୍ତମାନେ ସମ୍ପର୍କରେ ରହିଥିଲେ । ହତ୍ୟାକାଣ୍ଡ ପୂର୍ବରୁ ବାବୁଲାଲ ଜାନୀ ତାଙ୍କ ଦୁଇପୁଅ ଭୋଳା ଓ ଶିବଙ୍କୁ ଗଙ୍ଗୁଆ, ମନୀଷ ଓ ଛାୟା ସହିତ ସମ୍ପର୍କରେ ରହିବାକୁ କହି ପାଟଣାଗଡ଼ ଛାଡ଼ି ଚାଲି ଯାଇଥିଲା । ଗତ ୮ ତାରିଖରେ ଭୋଲା ଓ ଶିବଙ୍କଠାରୁ ହତ୍ୟାକାରୀମାନେ ସୂଚନା ପାଇଥିଲେ ଯେ ବୁଲୁ ଜାନୀ ପରିବାରର ୪ପୁଅ ବାହାରେ ରହିଛନ୍ତି। ଘରେ କେବଳ ବୁଲୁ , ତାଙ୍କ ସ୍ତ୍ରୀ ଓ ଛୋଟ ଛୁଆମାନେ ରହିଛନ୍ତି ।

ଗଙ୍ଗୁଆ ଓ ମନୀଷ ପୂର୍ବ ଯୋଜନା ମୁତାବକ ବଳଦେବ, ଛାୟା ଓ ବିକଳକୁ ଡାକିଥିଲେ । ଡାକରା ପାଇବା ପରେ ୧୦ ତାରିଖ ଦିନ ଗୋଟାଏରେ ଗଙ୍ଗୁଆ, ଦେବରାଜ, ମନୀଷ, ଛାୟା , ବଳଦେବ ଓ ବିକଳ ଦୁଇଟି ଲୁନା ଓ ଗୋଟିଏ ବାଇକ୍ରେ ନିଲଜୀରୁ ବାହାରି ପାଟଣାଗଡ଼ରେ ରାତି ୮ ଟାରେ ପହଞ୍ଚିଥିଲେ । ପାଟଣାଗଡ଼ରେ ପହଞ୍ଚିବା ପରେ ସଅଁରାପଡା ନିକଟରେ ଥିବା ଏକ ପୋଖରୀ ନିକଟରେ ସେମାନେ ଅଟକି ଥିଲେ । ସେଠାରେ ସେମାନେ ଯୋଜନା ପ୍ରସ୍ତୁତ କରିଥିଲେ । ଶିବ ଓ ଭୋଳା ତାଙ୍କ ସହିତ ଯୋଗ ଦେଇଥିଲେ। ମଧ୍ୟରାତ୍ରିରେ ୮ ଜଣ ଅଭିଯୁକ୍ତ ଅସ୍ତ୍ରଶସ୍ତ୍ର ତଥା ଏକ ବୋତଲ ପେଟ୍ରୋଲ୍ ଧରି ବୁଲୁ ଜାନୀ ଘରେ ପହଞ୍ଚିଥିଲେ । ସେ ସମୟରେ ବୁଲୁ ଜାନୀ ପରିଶ୍ରାକରିବାକୁ ବାହାରକୁ ଆସିଥିଲେ। ଗଙ୍ଗୁଆ ତାଙ୍କୁ ଅତର୍କିତ ଗୁଳି ଚଳାଇଥିଲା । କିନ୍ତୁ ବୁଲୁ ଏଥିରୁ ବର୍ତ୍ତିଯାଇ ଘର ଭିତରକୁ ପଳାଇବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସମସ୍ତ ଅଭିଯୁକ୍ତମାନେ ବିଭିନ୍ନ ମାରଣାସ୍ତ୍ରରେ ବୁଲୁଙ୍କୁ ଆକ୍ରମଣ କରିଥିଲେ । ବାହାରେ ପାଟିତୁଣ୍ଡ ଶୁଣି ବୁଲୁଙ୍କ ସ୍ତ୍ରୀ ଜ୍ୟୋତି ଓ ଝିଅ ସରିତା ପ୍ରତିରୋଧ କରିଥିଲେ ।

ଅଭିଯୁକ୍ତମାନେ ସେମାନଙ୍କୁ ହତ୍ୟା କରିଥିଲେ । ଏହାପରେ ରକ୍ତମୁଖା ଅଭିଯୁକ୍ତ ଘର ଭିତରକୁ ପଶି ୩ଜଣ ନିଷ୍ପାପ ଶିଶୁଙ୍କୁ ହତ୍ୟା କରିଥିଲେ । ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତମାନେ ଗାଁ ନିକଟରେ ଥିବା ପୋଖରୀକୁ ଯାଇଥିଲେ । ସେଠାରୁ ଶିବ ଓ ଭୋଳା ଘରକୁ ଫେରି ଆସିଥଲେ। ଅନ୍ୟ ଅଭିଯୁକ୍ତମାନେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଭିମୁଖେ ଯାଇଥିଲେ । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ଅନୁସନ୍ଧାନ ସମୟରେ ଏମାନେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ପୁଲିସ ସୂଚନା ପାଇଥିଲା । ସେମାନଙ୍କ ମଧ୍ୟରୁ ପୁଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଅଭିଯୁକ୍ତ ବର୍ତ୍ତମାନ ମଧ୍ୟ ଫେରାର ଅଛନ୍ତି। ଅତିରିକ୍ତ ଏସପି ମନୋରଞ୍ଜନ ପ୍ରଧାନ , ପାଟଣାଗଡ଼ ଏସଡିପିଓ ସୁରେଶ ନାଏକ ଓ ପାଟଣାଗଡ ଆଇଆଇସି ପ୍ରିୟଙ୍କା ରାଉତରାୟ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।