ପରୀ ମାମଲା: ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ଏସଆଇଟି ଦୁଷ୍କର୍ମ ପରେ ହତ୍ୟା!

କଟକ,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁରର ୫ ବର୍ଷୀୟ ନାବାଳିକା ପରୀ ଅପହରଣ ଏବଂ ହତ୍ୟା ମାମଲାରେ ସୃଷ୍ଟି ହୋଇଛି ନୂଆ ମୋଡ଼। ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସ୍ଆଇଟି ଆଜି ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ମାମଲା ସଂପର୍କରେ ସତ୍ୟପାଠ ଦାଖଲ କରିଥିବା ବେଳେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ବନ୍ଦ ଲଫାଫାରେ କୋର୍ଟଙ୍କୁ ପ୍ରଦାନ କରିଥିବା ଆଫିଡେବିଟରେ ଏସଆଇଟି ପରୀକୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ଦର୍ଶାଇଛି। ଏକ ବିଶ୍ୱସ୍ତ ସୁତ୍ରରୁ ଏହି ଖବରଟି ମିଳିଛି। ଏପରିକି ଦୋଷୀ ସେହି ଯଦୁପୁର ଗାଁର ଏବଂ ଏସ୍ଆଇଟି ତାକୁ ଚିହ୍ନଟ କରିଥିବା ଏଥିରେ ଦର୍ଶାଇଛି। ଅଙ୍ଗତସ୍କରୀ ଲାଗି ପରୀକୁ ହତ୍ୟା କରାଯାଇଥିବାର ଆଶଙ୍କା କରାଯାଉଥିବା ବେଳେ ଘଟଣାରେ ଦୁଷ୍କର୍ମ କଥା ଆସିବା ସମସ୍ତଙ୍କୁ ଚକିତ କରିଛି।
ସୂତ୍ର ମୁତାବକ ସତ୍ୟପାଠରେ ପରୀ ହତ୍ୟା ପଛରେ ଦୁଷ୍କର୍ମ ହିଁ ମୁଖ୍ୟ କାରଣ ବୋଲି ଏସଆଇଟି ଦର୍ଶାଇଛି ଏବଂ ପରେ ପ୍ରମାଣନଷ୍ଟ କରିବା ଲାଗି ପରୀକୁô ବିଭତ୍ସଭାବେ ହତ୍ୟା କରାଯାଇଥିବା କହିଛି। ହତ୍ୟା ପୂର୍ବରୁ ପରୀକୁ ସଂପୁର୍ଣ୍ଣ ଉଲଗ୍ନ ମଧ୍ୟ କରାଯାଇଥିଲା ବୋଲି ଏସ୍ଆଇଟି ସତ୍ୟପାଠରେ ଲେଖିଛି। ଯେଉଁ ବସ୍ତାରେ ପରୀର ହାଡ଼, ଖପୁରୀ ଘର ପଛପଟୁ ମିଳିଥିଲା ସେଥିରେ ତାର ପୋଷାକ ମଧ୍ୟ ଥିଲା। ସେହି ପୋଷାକରୁ ଏସଆଇଟି ଅପରାଧୀର ସିମେନ୍ (ଶୁକ୍ରାଣୁ)ର ସାମ୍ପୁଲ୍ ପାଇଥିବା ଜଣାଇଛି। ଏପରିକି ହତ୍ୟାକାରୀ ସେହି ଯଦୁପୁର ଗାଁର ଏବଂ ତାକୁ ଚିହ୍ନଟ କରାଯାଇଥିବାର ଏସଆଇଟି କୋର୍ଟଙ୍କୁ ଜଣାଇଛି। ତେବେ କିଏ ସେହି ଦୁଷ୍କର୍ମକାରୀ ଏନେଇ କିଛି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ। ଏସଆଇଟିର ସତ୍ୟାପାଠକୁ କୋର୍ଟ ଗ୍ରହଣ କରିଥିବା ବେଳେ ଆସନ୍ତା ୨୪ ତାରିଖରେ ଏହା ଉପରେ ଶୁଣାଣି କରିବେ।

ଇତିମଧ୍ୟରେ ଅନ୍ୟଏକ ପ୍ରଶ୍ନବାଚୀ ଛିଡ଼ା ହୋଇଛି। ପରୀ ଘଟଣାକୁ ନେଇ ବିଧାନସଭାରେ ତମ୍ବିତୋଫାନ ହେବାପରେ ସଦନରେ ସ୍ପଷ୍ଟିକରଣ ରଖିଥିଲେ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। ସେ ଜଣାଇଥିଲେ ଯେ ପରୀକୁ ଅପହରଣ ପରେ ହତ୍ୟା କରାଯାଇଛି। ହେଲେ ଯେଉଁ ଅବସ୍ଥାରେ ଦେହାବଶେଷ ମିଳିଥିଲା ସେଥିରୁ ଦୁଷ୍କର୍ମ ନେଇ କୌଣସି ସୂଚନା ମିଳିପାରିନାହିଁ। ପରୀର ପୋଷାକରୁ ପ୍ରମାଣ ପାଇ ଏସଆଇଟି ଏବେ ଦୁଷ୍କର୍ମ କଥା ଉଠାଇଥିବା ବେଳେ ପୂର୍ବରୁ ହୋଇଥିବା ପୋଷ୍ଟମର୍ଟମ ଏବଂ ସାଇଣ୍ଟିଫିକ୍ ଯାଞ୍ଚ ରିପୋର୍ଟରେ କଣ ଏହି ସାମ୍ପୁଲ୍ ମିଳିନଥିଲା? ନାଁ ଜାଣିଶୁଣି ତାକୁ ଚପାଇ ଦିଆଯାଇଥିଲା। ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଛି। ଗତ ଚାରି ମାସ ଧରି ପୁଲିସ୍ କେଉଁ ଆଧାରରେ ତଦନ୍ତ ଚଳାଉଥିଲା ତାହା ମଧ୍ୟ ଏବେ ବଡ଼ ପ୍ରଶ୍ନ।
ଏପଟେ ଝିଅର ହତ୍ୟା ପଛରେ ଦୁଷ୍କର୍ମ କଥାକୁ ଗ୍ରହଣ କରିପାରୁନାହାନ୍ତି ପରୀର ବାପା। ସେ ଜଣାଇଛନ୍ତି ଯେ ଯଦି ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ତେବେ ଅଭିଯୁକ୍ତ କିଏ ଏସ୍ଆଇଟି ଜଣାଉ। କିନ୍ତୁ ଏସ୍ଆଇଟି ଏଯାଏଁ ଅଭିଯୁକ୍ତ କିଏ ଜଣାଇପାରିନାହିଁ। ଏଣୁ ଏସ୍ଆଇଟିର ତଦନ୍ତକୁ ଭରସା ପାଉନାହିଁ ବୋଲି ମୃତ ପରୀର ବାପା ଅଶୋକ ସାହୁ କହିଛନ୍ତି। ସୂଚନାଯୋଗ୍ୟ, ପରିବାର ଲୋକ ବାରମ୍ବାର ଝିଅକୁ ହତ୍ୟା କରାଯାଇ ଶରୀରରୁ ଆଖି, କିଡନୀ କାଢି ନିଆଯାଇଥିବା ଅଭିଯୋଗ କରିଆସୁଛନ୍ତି। ଏସବୁ ପଛରେ ସେମାନେ ସ୍ଥାନୀୟ ଜଣେ ବ୍ୟକ୍ତି ବାବୁଲି ନାୟକର ନାଁ ନେଉଛନ୍ତି। ଏପରିକି ବାବୁଲି ମନ୍ତ୍ରୀ ଅରୁଣ ସାହୁଙ୍କ ପାଖ ଲୋକ ହୋଇଥିବାରୁ ମନ୍ତ୍ରୀ ତାଙ୍କୁ ଘଣ୍ଟ ଘୋଡ଼ାଇବା ଲାଗି ପ୍ରୟାସ କରୁଛନ୍ତି ଏବଂ ପୁଲିସ ଉପରେ ଚାପ ପକାଉଥିବା ସେମାନେ ଅଭିଯୋଗ କରି ବିଧାନସଭା ଆଗରେ ଆସି ଆତ୍ମାହୁତି ଉଦ୍ୟମ କରିଥିଲେ। ପରେ ବିରୋଧୀଙ୍କ ଚାପରେ ସରକାର ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ପରୀର ବାପା ମା’ ଉଭୟେ ଲଗାତାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଆସୁଛନ୍ତି।