ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଜାନୁଆର ୧୩ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ଜାନୁଆରୀ ୧୭ରୁ ୨୧ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯାଇ ପାରିବ। ୨୨ରେ ପ୍ରାର୍ଥୀପତ୍ର ଗୁଡ଼ିକ ଯାଞ୍ଚ କରାଯିବ। ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇ ପାରିବ। ୨୫ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।
ସେହିପରି ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ରେ ଭୋଟ ଗ୍ରହଣ ହେବ। ଫେବୃଆରୀ ୨୬, ୨୭ ଓ ୨୮ରେ ଭୋଟ ଗଣତି ହେବ। ମାର୍ଚ୍ଚ ୧୧ରେ ନାଏବ ସରପଞ୍ଚ, ମାର୍ଚ୍ଚ ୨୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ୨୩ରେ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ୨୫ରେ ଉପାଧ୍ୟକ୍ଷ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି।
କରୋନା କଟକଣାକୁ ଦୃଷ୍ଟିରେ ରଖି ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଭୋଟ ଗ୍ରହଣ ସରିବା ପରେ ବ୍ଲକସ୍ତରରେ ଭୋଟ ଗଣତି ହେବ। ପ୍ରଚାର ପାଇଁ ପଥପ୍ରାନ୍ତ ପଦଯାତ୍ରା, ବାଇକ ରାଲି, ସାଧାରଣ ସଭା ବା କୌଣସି ପ୍ରକାର ସମାବେଶକୁ ଅନୁମତି ମିଳିବ ନାହିଁ। କିନ୍ତୁ ସର୍ବାଧିକ ୫ଜଣକୁ ଧରି ଘରକୁ ଘର ବୁଲି ପ୍ରଚାର କରାଯାଇପାରିବ। ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ପ୍ରଚାର ଶେଷ କରିବାକୁ ପଡ଼ିବ। ଡବଲ ଡୋଜ୍ ଟିକା କିମ୍ବା ଆରଟିପିସିଆର ନେଗେଟିଭ ବ୍ୟକ୍ତିଙ୍କୁ ଗଣତି କେନ୍ଦ୍ରକୁ ଅନୁମତି ମିଳିବ। ଭୋଟ ଗଣତି ପରେ ବିଜୟ ଶୋଭାଯାତ୍ରା କରାଯାଇ ପାରିବ ନାହିଁ। ଆଜିଠୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ପରିସ୍ଥିତିକୁ ଦେଖି କଟକଣା କୋହଳ ବା କଠୋର ହୋଇପାରେ ବୋଲି ନିର୍ବାଚନ କମିଶନର କହିଛନ୍ତି।