ପାକିସ୍ତାନରେ ବିସ୍ଫୋରଣ, ୪ ମୃତ ୧୫ରୁ ଊର୍ଦ୍ଧ୍ବ ଆହତ

ଇସଲାମାବାଦ,ଏଜେନ୍ସି: ପାକିସ୍ତାନର ବେଲୁଚିସ୍ତାନରେ ବିସ୍ଫୋରଣରେ ଘଟିି ୪ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇବା ସହ ୧୫ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ବାଲୁଚିସ୍ତାନରେ ବାର୍ଷିକ ସିବି ମେଳା ଅନୁଷ୍ଠିତ ହେଉଥିବାବେଳେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ପ୍ରାଣ ହରାଇଥିବା ୪ ଜଣଙ୍କ ମଧ୍ୟରୁ ସୁରକ୍ଷାକର୍ମୀ ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନୀୟ ସାଧାରଣ ନାଗରିକ ମଧ୍ୟ ରହିଛନ୍ତି।

ପାକିସ୍ତାନର ଆତଙ୍କବାଦ ନିରୋଧୀ ବିଭାଗର ବରିଷ୍ଠ ଅଧିକାରୀ ହାଫିଜ ରିନ୍ଦ କହିଛନ୍ତି , ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମଘାତୀ ବିସ୍ଫୋରଣ ପରି ସନ୍ଦେହ କରାଯାଉଛି। ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସୂଚନା ଅନୁସାରେ, ରାଷ୍ଟ୍ରପତି ଆରିଫ ଅଲଭି ମଧ୍ୟ ଉକ୍ତ ମେଳାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ରାଷ୍ଟ୍ରପତିଙ୍କ ଆଗମନର ମାତ୍ର ୩୦ ମିନିଟ ପୂର୍ବରୁ ଏହି ବିସ୍ଫୋରଣକୁ ରୂପ ଦେଇଛନ୍ତି ଆତଙ୍କୀ।

ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଆହତଙ୍କ ଅବସ୍ଥା ଗମ୍ଭୀର ମଧ୍ୟ ରହିଥିବା ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଏପରି ବିସ୍ଫୋରଣ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଥିବାବେଳେ ପ୍ରମୁଖ ପାକ ରାଜନେତାମାନେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।