ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ: ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁଦିନ କରୋନା ମାମଲା ବଢ଼ୁଥିଲେ ମଧ୍ୟ ରାଜ୍ୟବାସୀ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ଗୋଟିଏ ବି କେସ୍ ଯେପରି ରହିନଯାଏ ସେନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାରୁ ଟେଷ୍ଟିଂ ଓ ଟ୍ରେସିଂ ପ୍ରକ୍ରିୟା ଜୋରଦାର କରାଯାଇଛି। ରାଜ୍ୟରେ ଆରୋଗ୍ୟ ହାର ୬୫ ପ୍ରତିଶତ ଓ ମୃତ୍ୟୁହାର .୫୪ ପ୍ରତିଶତ ରହିଛି ବୋଲି ଏସିଏସ୍ କହିଛନ୍ତି।

ସେହିପରି ସର୍ଭେ କରୁଥିବା ଅଙ୍ଗନବାଡି ଓ ଆଶକର୍ମୀଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କରାଯାଇଛି। ଯଦି କାହାଠାରେ ଲକ୍ଷଣ ଦେଖାଦେଉଛି ସ୍ୱାସ୍ଥ୍ୟକର୍ମୀଙ୍କୁ ଜଣାନ୍ତୁ। ଆଉ ଲକ୍ଷଣ ନଥିବା ରୋଗୀ ଘରେ ରହି ଚିକିତ୍ସିତ ହୁଅନ୍ତୁ । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକ ଘରେ ରହି ଚିକିତ୍ସିତ ହୋଇପାରିବେ। ଆଜି ଗୋଟିଏ ଦିନରେ ୧୧ ହଜାର ଟେଷ୍ଟିଂ ହୋଇଥିବାବେଳେ ଆଗାମୀ ଦିନରେ ଏହା ଆହୁରି ବଢ଼ିବ ବୋଲି ଏସିଏସ୍ କହିଛନ୍ତି। ଏଥିସହିତ ଆଗାମୀ ଦିନରେ ବ୍ରହ୍ମପୁର ଏମକେସିଜି ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ହେବ। କରୋନା ଆରୋଗ୍ୟଙ୍କୁ ପ୍ଲାଜମା ଦାନ କରିବାକୁ ଅପିଲ କରିବା ସହ ପ୍ଲାଜମା ଦାନକାରୀଙ୍କୁ ସରକାରଙ୍କ ପକ୍ଷରୁ ପ୍ରଶଂସା ପତ୍ର ଦିଆଯିବ ବୋଲି ମଧ୍ୟ ସିଏସସି କହିଛନ୍ତି।