‘ଇତିହାସକୁ ସୁରକ୍ଷା ଦେବା ଆମର ପ୍ରମୁଖ କର୍ତ୍ତବ୍ୟ’: ବାଚସ୍ପତି

ଓଡ଼ିଶା ବିଧାନସଭାର ମୂଲ୍ୟବାନ ବିବରଣୀ ଓ ତଥ୍ୟର ଡିଜିଟାଇଜେସନ୍ ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଇତିହାସକୁ ସୁରକ୍ଷା ଦେବା ଆମର ପ୍ରମୁଖ କର୍ତ୍ତବ୍ୟ। ଓଡ଼ିଶା ବିଧାନସଭାର ବହୁ ମୂଲ୍ୟବାନ ବିବରଣୀ, ତଥ୍ୟ, ଦସ୍ତାବିଜ୍, ନଥୁପତ୍ର ଓ ଗ୍ରନ୍ଥଗୁଡ଼ିକର ଡିଜିଟାଇଜେସନ୍ କାର୍ଯ୍ୟର ଶୁଭାରମ୍ଭ କରି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ପ୍ରକାଶ କରିଛନ୍ତି। ବହୁ ପୁରୁଣା ବିବରଣୀ, ତଥ୍ୟ, ଦସ୍ତାବିଜ୍, ନଥିପତ୍ର ଓ ଗ୍ରନ୍ଥଗୁଡ଼ିକୁ ଡିଜିଟାଇଜେସନ୍ ମାଧ୍ୟମରେ ସୁରକ୍ଷିତ ରଖାଯାଇପାରିବ। ଏଗୁଡ଼ିକ ପିଡିଏଫ୍ ଆକାରରେ ଗୋଟିଏ ପ୍ଲାଟଫର୍ମରେ ମିଳିପାରିବ, ଯାହା ଆଗାମୀ ପିଢ଼ି ପାଇଁ ସହାୟକ ହେବ।

ମାନ୍ୟବର ବାଚସ୍ପତିଙ୍କ ନିରନ୍ତର ପ୍ରଚେଷ୍ଟା ଓ ପ୍ରୋତ୍ସାହନ ଏବଂ ରାଷ୍ଟ୍ରୀୟ ସୂଚନା କେନ୍ଦ୍ରର ବୈଷୟିକ ସହାୟତାରେ ଡିଜିଟାଇଜେସନ୍ ସମ୍ଭବ ହେବାକୁ ଯାଉଛି ବୋଲି ବରିଷ୍ଠ ବିଧାୟକ ତଥା ବିଧାନସଭା ପୁସ୍ତକ ଚୟନ ଉପକମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ସାମଲ ପ୍ରକାଶ କରିଛନ୍ତି। ଓଡ଼ିଶା ବିଧାନସଭା ଟିଭି ପ୍ରସ୍ତୁତ କରାଯାଉଛି। ଏହାର ଚାରୋଟି ଅଙ୍ଗ ରହିବ। ଯଥା -୧-ବିଧାନସଭା ସମାଚାର, ୨-ସଂସ୍କୃତିର ଆଇନା, ୩- ପ୍ରଗତିର ପ୍ରତିଫଳ ଏବଂ ୪-ପ୍ରଜ୍ଞା ପରିଚୟ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି।

ରାଷ୍ଟ୍ରୀୟ ସୂଚନା କେନ୍ଦ୍ରର ଓଡ଼ିଶା ମୁଖ୍ୟ କବିତା ରୟ ଦାସ, ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ବିଧାନସଭା ଉପନିର୍ଦ୍ଦେଶିକା (ଗ୍ରନ୍ଥାଗାର) ଆରତୀ ମିଶ୍ର ପ୍ରମୁଖ ଶୁଭାରମ୍ଭ ସମୟରେ ଉପସ୍ଥିତ ଥିଲେ।