ଭୁବନେଶ୍ୱର,ଏନ୍ଏନ୍ଏସ୍: ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ଏହି ପରୀକ୍ଷା ଦେଇଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଦ୍ୱିତୀୟ ଭାଷା ପେପରରେ ଓଡିଆ ବିଷୟରେ ଅତ୍ୟନ୍ତ କମ୍ ମାର୍କ ପ୍ରଦାନ କରାଯାଇଛି। ତେବେ କୌଣସି ଭୁଲ କିମ୍ବା ତ୍ରୁଟିନୁହେଁ, ଆକ୍ରୋଶମୂଳକ ଭାବେ ଏଭଳି କମ୍ ମାର୍କ ଦିଆଯାଇଛି ବୋଲି ଅନେକ ଅଭିଭାବକ ଏବଂ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ପରୀକ୍ଷାରେ କମ୍ ମାର୍କ ଦିଆଯିବା ଦ୍ୱାରା ଓଡ଼ିଆ ପିଲାଙ୍କ ପ୍ରତି ଏହା ସିଧାସଳଖ ବୈମାତୃକ ମନୋଭାବ ବୋଲି ଅନେକ ଅଭିଭାବକ କହିଛନ୍ତି। ତେବେ ଓଡ଼ିଆ ପରୀକ୍ଷାର୍ଥୀମାନେ ଅନ୍ୟାନ୍ୟ ବିଷୟରେ ଭଲ ନମ୍ବର ପାଇଥିବା ବେଳେ ୨ୟ ଭାଷାରେ ଅତ୍ୟନ୍ତ କମ୍ମାର୍କ ହାସଲ କରିଛନ୍ତି। ଏପରିକି ହିନ୍ଦୀ ଓ ଅନ୍ୟାନ୍ୟ ଆଞ୍ଚଳିକ ଭାଷା ନେଇଥିବା ପିଲାମାନଙ୍କୁ ଓଡ଼ିଆ ପିଲାଙ୍କ ତୁଳନାରେ ଭଲ ନମ୍ବର ପ୍ରଦାନ କରାଯାଇଛି ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ତେଣୁ ଏପରି ସମସ୍ୟାର ସମାଧାନ ଲାଗି ସିବିଏସ୍ଇ ଏହାର ତଦନ୍ତ କରି ଏହି ବିଷୟର ଉତ୍ତରଖାତାର ରିଚେକିଂ କରିବାକୁ ଦାବି ହୋଇଛି। ଯଦି ଛାତ୍ରଛାତ୍ରୀଙ୍କୁ ନ୍ୟାୟ ନମିଳେ ତେବେ ସୋମବାରଠାରୁ ଆନ୍ଦୋଳନ ହେବ ବୋଲି ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ସୂଚନା ଦେଇଛନ୍ତି।
ଶ୍ରୀ ଭଟ୍ଟ କହିଛନ୍ତି ଯେ ଗତ ଶନିବାର ସିବିଏସ୍ଇ ଟର୍ମ-୧ ରେଜଲ୍ଟ ପ୍ରକାଶ ପାଇଛି। ବିଳମ୍ବିତ ରାତିରେ ଛାତ୍ରଛାତ୍ରୀ ସେମାନଙ୍କର ମାର୍କ ଦେଖିବା ସମୟରେ ସେମାନଙ୍କର ଓଡ଼ିଆରେ କମ୍ ମାର୍କ ରହିଥିବା ଜାଣିଥିଲେ। ଏପରିକି ଅନେକ ଛାତ୍ରଛାତ୍ରୀ ଠିକ୍ ଉତ୍ତର ଦେଇ ବି କମ୍ ମାର୍କ ପାଇଥିବା ଜଣାପଡ଼ିଛି। ପ୍ରଶ୍ନପତ୍ରର ୪ ନମ୍ବର ପ୍ରଶ୍ନ ରହିଛି ଗାନ୍ଧିଜୀ ଏବଂ ନେତାଜୀ ସୁଭାଷ ଚନ୍ଦ୍ରଙ୍କ ସ୍ୱାଧୀନତା ସଂଗ୍ରାମ ଭିତରେ କି ପ୍ରାର୍ଥକ୍ୟ ଥିଲା। ଏହାର ଉତ୍ତର ହେଉଛି ବି, ଅର୍ଥାତ୍ ନିରସ୍ତ୍ର ସତ୍ୟାଗ୍ରହ ସଂଗ୍ରାମ ଏବଂ ସଶସ୍ତ୍ର ସଂଗ୍ରାମ। କିନ୍ତୁ ପ୍ରଶ୍ନପତ୍ରର ଉତ୍ତର ପତ୍ରରେ ରହିଛି ଡି, ଅର୍ଥାତ୍ ପାରମ୍ପରିକ ସଂଗ୍ରାମ ଓ ଅତ୍ୟାଧୁନିକ ସଂଗ୍ରାମ। ଯାହା ସମ୍ପୂର୍ଣ୍ଣ ଭୁଲ୍।
କେବଳ ୪ ନମ୍ବର ନୁହେଁ ୨୮, ୨୯, ୩୦, ୩୧ ଭଳି ମୋଟ୍ ୧୭ଟି ପ୍ରଶ୍ନର ଉତ୍ତର ଭୁଲ୍ ରହିଥିବା ସେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ପ୍ରଥମେ ସ୍କୁଲ ଏବଂ ପରେ ସିବିଏସ୍ଇ ଆଞ୍ଚଳିକ ମୁଖ୍ୟଙ୍କୁ ଅବଗତ କରାଯାଇଥିଲେ ହେଁ ସମସ୍ୟାର ସମାଧାନ ହୋଇପାରି ନାହିଁ। ମୂଲ୍ୟାଙ୍କନରେ ହୋଇଥିବା ତ୍ରୁଟିକୁ ତୁରନ୍ତ ସଂଶୋଧନ କରି ସିବିଏସ୍ଇ ପୁଣି ପରୀକ୍ଷା ଫଳ ପ୍ରକାଶ କରୁ ନଚେତ୍ ଗ୍ରେସ୍ ମାର୍କ ଦେଇ ସବୁ ପିଲାଙ୍କର ପରୀକ୍ଷା ଫଳ ଆଉ ଥରେ ପ୍ରକାଶ କରିବାକୁ ସେ କହିଛନ୍ତି। ଏ ସମ୍ପର୍କରେ ସୋମବାର ପୁଣି ସିବିଏସ୍ଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ। ନ୍ୟାୟ ନମିଳିଲେ ସିବିଏସ୍ଇ କାର୍ଯ୍ୟାଳୟ ଘେରାଉ ସହ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି।