ମହାନଦୀ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆଜି ବିଧାନସଭାରେ ମହାନଦୀ ପ୍ରସଙ୍ଗକୁ ନେଇ ଗୃହ କମ୍ପି ଉଠିଥିଲା । ସ୍ୱତନ୍ତ୍ର ମୋସନ ଆକାରରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେଉ ବୋଲି କଂଗ୍ରେସ ଦାବି କରିଥିଲା । କଂଗ୍ରେସ ସହ ବିରୋଧୀ ବିଜେପି ମଧ୍ୟ ସ୍ୱର ମିଳାଇଥିଲା । ଉଭୟ ଦଳର ସଦସ୍ୟ ଗୃହରେ ହଟ୍ଟଗୋଳ କରିବା କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଲତବି ଘୋଷଣା କରିଥିଲେ । ଗତକାଲି ବିଧାନସଭାରେ ମହାନଦୀ ପ୍ରସଙ୍ଗ ଉଠାଇ ଶାସକ ଦଳ କେନ୍ଦ୍ରକୁ ଟାର୍ଗେଟ କରିଥିଲା । କେନ୍ଦ୍ରର ଟାଳଟୁଳ ନୀତି ପାଇଁ ମହାନଦୀ ଜଳ ବିବାଦର ସମାଧାନ ହୋଇପାରୁନଥିବା ବିଜେଡି କହିଥିଲା । ଅନ୍ୟପଟେ ବିରୋଧୀଙ୍କ ଏଭଳି ହଟ୍ଟଗୋଳକୁ ନେଇ କଂଗ୍ରେସ-ବିଜେପି ଭାଇ ଭାଇ, ଗୃହକୁ ଚଳାଇ ଦେଲେ ନାହିଁ ବୋଲି ବିଜେଡି କହିଛି ।