ଭୁବନେଶ୍ୱର,ଏନ୍ଏନ୍ଏସ୍: ଜାନୁଆରୀ ମାସ ପ୍ରଥମ ସପ୍ତାହରେ ରାଜ୍ୟରେ ପିଆଜ ଦର କମିବ। ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ଅଧିକ ପିଆଜ ଆମଦାନୀ କରି ଦେଶର ଆବଶ୍ୟକତା ମେଣ୍ଟାଇବା ପାଇଁ ନିଷ୍ପତ୍ତି ହୋଇଛି। ପିଆଜ ଦର ନିୟନ୍ତ୍ରଣ ନେଇ ଲୋକସେବା ଭବନରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ରାଜ୍ୟକୁ ଦୈନିକ ୫୦ ଟ୍ରକ୍ ପିଆଜ ଆସୁଥିଲା। ଏବେ ଆମଦାନି କମିଛି।
ଦେଶବ୍ୟାପୀ ଦୈନିକ ୧୨ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ଦରକାର ହେଉଥିବା ବେଳେ ବିଦେଶରୁ କେନ୍ଦ୍ର ସରକାର ୧ ଲକ୍ଷ ମେଟ୍ରିକ୍ ଟନ ଆଣିଛନ୍ତି। ପିଆଜ ବର୍ତ୍ତମାନ ଜାତୀୟ ବିପର୍ଯ୍ୟୟ ପାଲଟିଛି। ରାଜ୍ୟରେ ଚଳିତବର୍ଷ ୨୬ ପ୍ରତିଶତରୁ କମ୍ ଜମିରେ ପିଆଜ ଚାଷ ହୋଇଥିବାରୁ ଏଠି ସମସ୍ୟା ଉତ୍କଟ ବାଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ରାଜ୍ୟବାସୀଙ୍କୁ ସୁଲଭ ଦରରେ ପିଆଜ ଯୋଗାଇବା ପାଇଁ ସରକାର ମୈତ୍ରୀ କାଉଣ୍ଟର ଖୋଲିଛନ୍ତି। ହେଲେ ପିଆଜ ଦର ନିୟନ୍ତ୍ରଣ ବାହାରେ ରହିଥିବାରୁ ମୈତ୍ରୀ କାଉଣ୍ଟରରେ ମଧ୍ୟ ଅଧିକ ଦରରେ ପିଆଜ ବିକ୍ରି ହେଉଛି। ସୂଚନା ଅନୁଯାୟୀ, ଓଡ଼ିଶାରେ ପିଆଜ କିଲୋ ୧୦୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିବା ବେଳେ ରାଜ୍ୟ ବାହାରେ ୨୦୦ ଟଙ୍କା ଉପରେ ରହିଛି। ଯାହାକୁ ନେଇ ଖାଉଟି ଚିନ୍ତାରେ ପଡ଼ିଛନ୍ତି। ସାଧାରଣତଃ ନାସିକ୍ରେ ବାର୍ଷିକ ୩ ଟନ୍ ପିଆଜ ଉତ୍ପାଦିତ ହୋଇଥାଏ।
ମାତ୍ର ଚଳିତଥର ବର୍ଷାରେ ଅନିୟମିତତା ଯୋଗୁଁ ୪ ଥର ଫସଲ ନଷ୍ଟ ହେବା ଯୋଗୁଁ ପିଆଜ ଉତ୍ପାଦନ ମାତ୍ର ୧୦ କ୍ୱିଣ୍ଟାଲ୍ରେ ପହଞ୍ଚିଛି। ଯାହା ପାଇଁ ଦେଶବ୍ୟାପୀ ଏପରି ଅବସ୍ଥା ସୃଷ୍ଟି ହୋଇଛି। ମୁଖ୍ୟତଃ ପରିବେଶରେ ଅସନ୍ତୁଳନ ଅବସ୍ଥା, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଦିନିଆ ବର୍ଷା ପିଆଜ ଫସଲ ନଷ୍ଟର ପ୍ରମୁଖ କାରଣ ରୂପେ ଉଭା ହୋଇଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପିଆଜ ଦର ନିୟନ୍ତ୍ରଣ ପାଇଁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ବର୍ତ୍ତମାନ ଏହା ଅଣାୟତ୍ତ ଅବସ୍ଥାରେ ରହିଛି।