ଗୋଟିଏ ଦେଶ ଗୋଟିଏ ରାଶନ କାର୍ଡ ଆରମ୍ଭ

  • ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ୱାନ ନେସନ୍ ୱାନ ରାସନ୍ କାର୍ଡ (ଗୋଟିଏ ଦେଶ ଗୋଟିଏ ରାଶନ) ବ୍ୟବସ୍ଥା। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ବର୍ଷେ ଧରି ଭୁବନେଶ୍ୱରରେ ପାଇଲଟ ପ୍ରକଳ୍ପଭାବେ କାର୍ଯ୍ୟକାରୀ ହେଉଥିବାବେଳେ ଆଜିଠୁ ସାରା ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ ହୋଇଛି। ଏଥିରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପ୍ରାୟ ୯୨ଲକ୍ଷ ହିତାଧିକାରୀ ଉପକୃତ ହେବେ।
    ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ରାଜ୍ୟ ତଥା ଦେଶର ଯେକୌଣସି ଡିଲରଙ୍କଠାରୁ ଖାଉଟି ରାସନ ସାମଗ୍ରୀ ପାଇପାରିବେ। ଖାଉଟିଙ୍କୁ ମିଳୁଥିବା ସରକାରୀ ଚାଉଳ ବା ଗହମର ମାସିକ କୋଟା ପାଇବାକୁ ଏଣିକି ନିର୍ଦ୍ଦିଷ୍ଟ ଡିଲରଙ୍କ ଉପରେ ନିର୍ଭର କରିବାକୁ ପଡିବନି। ଖାଉଟିମାନେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରାସନ କାର୍ଡରେ ରାଜ୍ୟ କିମ୍ବା ଦେଶ ଭିତରେ ଯେକୌଣସି ଚିହ୍ନିତ ଡିଲରଙ୍କଠାରୁ ମାସିକ ଖାଦ୍ୟ ସାମଗ୍ରୀ ପାଇପାରିବେ। ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ରାଜ୍ୟ ଭିତରେ ଯେକୌଣସି ଚିହ୍ନିତ ଡିଲରଙ୍କଠାରୁ ନିଜ ମାସିକ ଖାଦ୍ୟ ସାମଗ୍ରୀ ପାଇ ପାରିବେ। ଏଥିସହ ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟବର୍ଦ୍ଧକ ଭିଟାମିନ୍ୟୁକ୍ତ ଚାଉଳ ବଣ୍ଟନ ଆରମ୍ଭ ହୋଇଛି। ଏହି ଚାଉଳରେ ଭିଟାମିନ୍ ଡି ଓ ଫୋଲିକ ଏସିଡ୍ ରହିଛି।