ପରୀ ହତ୍ୟା ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପରୀ ହତ୍ୟା ଘଟଣାରେ ଏସଆଇଟି ଜଣକୁ ଗିରଫ କରିଛି।  ଆସନ୍ତାକାଲି ନୟାଗଡ଼ ପୋକ୍ସୋ କୋର୍ଟରେ ଅଭିଯୁକ୍ତକୁ ହାଜର କରାଯିବ। ଅଭିଯୁକ୍ତ ଜଣକ କିଏ ତାହା ଏସଆଇଟି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ହେଲେ ଗିରଫ ଅଭିଯୁକ୍ତ ଜଣକ ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ବୋଲି ଏସଆଇଟି ପକ୍ଷରୁ ସୂଚନା ଦିଆଯାଇଛି।

ଏ ସଂକ୍ରାନ୍ତରେ ଏସଆଇଟି ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି। ପରୀ ହତ୍ୟା ମାମଲାରେ ଏସଆଇଟି ଶନିବାର ୩ ଜଣଙ୍କୁ ଉଠାଇ ନେଇଥିଲା। ପରୀର ଗାଁ ଯଦୁପୁରରୁ ସରୋଜ ସେଠୀ ସହିତ ତାଙ୍କ ମା’ ଓ ଭଉଣୀଙ୍କୁ ଏସଆଇଟି ଟିମ ଉଠାଇ ନେଇଥିଲା। ତେବେ ଆଜି ସରୋଜ ସେଠୀଙ୍କ ଭଉଣୀ ଓ ମା’ଙ୍କୁ ଏସଆଇଟି ଛାଡ଼ି ଦେଇଥିଲା। କିନ୍ତୁ ସରୋଜ ସେଠୀଙ୍କୁ ଅଟକ ରଖିଥିଲା। ତେବେ ସରୋଜ ସେଠୀଙ୍କୁ ଗିରଫ କରାଯାଇଛି କିମ୍ବା ଯଦୁପୁର ଗ୍ରାମର ଅନ୍ୟ କାହାକୁ ଗିରଫ କରାଯାଇଛି ତାହାର ସୂଚନା ଏସଆଇଟି ପକ୍ଷରୁ ଦିଆଯାଇ ନାହିଁ। ପ୍ରେସ ରିଲିଜରେ କେବଳ ଯଦୁପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପରୀ ହତ୍ୟା ମାମଲାରେ ଗିରଫ କରାଯାଇଛି ବୋଲି କୁହାଯାଇଛି।