ଜମି ବିବାଦରୁ ଡ୍ରେନରେ ବୁଡ଼ାଇ ହତ୍ୟା ଉଦ୍ୟମ, ଜଣେ ଗିରଫ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଜଣେ ଭିନ୍ନକ୍ଷମଙ୍କୁ ଅତି ଅମାନୁଷିକ ଭାବେ ଡ୍ରେନରେ ବୁଡାଇ ହତ୍ୟା ଉଦ୍ୟମ କରାଯାଇଛି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାରେ ଚନ୍ଦକା ଥାନା ପୁଲିସ ସମ୍ପୃକ୍ତ ଅଭିଯୁକ୍ତ ବୁଲୁ ବେହେରାକୁ ଗିରଫ କରିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଶୁକ୍ରବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ଚନ୍ଦକା ଥାନା ଅନ୍ତର୍ଗତ ଦାରୁଠେଙ୍ଗ ଗାଁର ବୁଲୁ ବେହେରା ଓ ଭିନ୍ନକ୍ଷମ ରବିନ୍ଦ୍ର ବେହେରାଙ୍କ ପରିବାର ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗି ରହିଛି। ଏହି ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଅନେକ ଥର ଗଣ୍ଡଗୋଳ ମଧ୍ୟ ହୋଇଛି। ତେବେ ପକ୍ଷାଘାତରେ ଆକ୍ରାନ୍ତ ରବୀନ୍ଦ୍ର ବେହେରା ସବୁଦିନ ପରି ଗତ ବୁଧବାର ଚାଲିବାକୁ ଯାଇଥିଲେ। ଏହି ସମୟରେ ବୁଲୁଙ୍କ ସହ ତାଙ୍କର କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ବୁଲୁ ତାଙ୍କୁ ମାରିବାକୁ ଯିବାରୁ ସେ ତାଙ୍କ ହାତକୁ କାମୁଡି ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବୁଲୁ ରବିନ୍ଦ୍ରଙ୍କୁ ମାଡ ମାରିବା ସହ ନିକଟରେ ଥିବା ଡ୍ରେନରେ ବୁଡାଇ ହତ୍ୟା ଉଦ୍ୟମ କରିଥିଲେ। ସେ ଯେତେ ଚିତ୍କାର କଲେ ମଧ୍ୟ ବୁଲୁ ଛାଡିନଥିଲେ। ଲୋକେ ଦୌଡି ଆସିବାରୁ ରବିନ୍ଦ୍ର ଅଳ୍ପକେ ବର୍ତ୍ତିଯାଇଥିଲେ। ଏନେଇ ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଘଟଣାକୁ ପ୍ରଥମେ ହାଲ୍କା ଭାବେ ନେଇ ଉଭୟଙ୍କୁ ବୁଝାସୁଝା କରି ଛାଡି ଦେଇଥିଲା। ତେବେ ଏଭଳି ହୃଦୟ ବିଦାରକ ଭିଡ଼ିଓ ଭାଇରାଲ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପରେ ପୁଲିସ ପୁଣି ଉଭୟଙ୍କୁ ଡାକି ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ଏହାପରେ ଶୁକ୍ରବାର ବୁଲୁକୁ ଗିରଫ କରାଯାଇଛି।