ଓଡିଶା ଫେରିଲେ ଅଲିମ୍ପିକ୍ସ ପଦକ ବିଜେତା ହକି ଖେଳାଳି, ଆଜି ସମ୍ବର୍ଦ୍ଧନା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଶାରେ ପହଞ୍ଚିଛନ୍ତି ଅଲିମ୍ପିକ ଭାରତୀୟ ହକି ଟିମର ୪ ଜଣ ଖେଳାଳି। ପୁରୁଷ ଟିମର ଅମିତ ରୋହି ଦାସ, ବିରେନ୍ଦ୍ର ଲାକ୍ରା, ମହିଳା ଟିମର ଦୀପ୍ ଗ୍ରେସ୍ ଏକ୍କା ଏବଂ ନମିତା ଟପ୍ପୋ ପହଞ୍ଚିଛନ୍ତି। ସମସ୍ତ ୪ ହକି ତାରକାଙ୍କୁ କଳିଙ୍ଗ ଷ୍ଟାଡିଅମରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବର୍ଦ୍ଧନା କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିବେ।

ମଙ୍ଗଳବାର ରାତି ୮ଟା ୫୦ ମିନିଟରେ ଏୟାର ଇଣ୍ଡିଆ ଫ୍ଲାଇଟରେ ହକି ଟିମର ୪ ଜଣ ଖେଳାଳି ଭୁବନେଶ୍ୱରରେ ପହଞ୍ଚିଥିଲେ। ଖେଳାଳିମାନଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଏହି ହକି ଖେଳାଳିମାନଙ୍କୁ ସ୍ୱାଗତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଓ ଅଭିଜିତ ପଲ ବିମାନ ବନ୍ଦରରେ ଉପସ୍ଥିତ ଥିଲେ। ଏହା ସହିତ ସେମାନଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ। ଖେଳାଳିମାନଙ୍କୁ ବିମାନବନ୍ଦରରୁ କଡ଼ା ସୁରକ୍ଷା ମଧ୍ୟରେ ଘରେ ଛଡ଼ାଯାଇଛି।