ଦୁର୍ଘଟଣାଗ୍ରସ୍ତ ୪୫ ଛାତ୍ରଛାତ୍ରୀ ଲାଗି ହେବ ଓଜେଇଇ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଦୁର୍ଘଟଣା ଯୋଗୁଁ ଓଜେଇଇରୁ ବଞ୍ଚିତ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପରୀକ୍ଷା ହେବ । ଆସନ୍ତା ୨୨ ତାରିଖରେ ଏହି ପରୀକ୍ଷା ହେବ ବୋଲି ଜଣାପଡ଼ିଛି । ଗତ ଅକ୍ଟୋବର ୧୫ ତାରିଖରେ ଓଜେଇଇ ଅନୁଷ୍ଠିତ ହୋଇଥିଲା । ପରୀକ୍ଷା ଦେବା ଲାଗି ଗଜପତି ଜିଲ୍ଲା ଚାନ୍ଦିପୁଟ, ରାମଗିରି ଓ ଚନ୍ଦ୍ରଗିରି ଅଞ୍ଚଳର ୪୫ ଜଣ ପରୀକ୍ଷାର୍ଥୀ ଗୋଟିଏ ବସରେ ଯାଉଥିବାବେଳେ ବସଟି ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ପାଖ ପାକୁଖୋଳା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଆହତ ଛାତ୍ରଛାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଫଳରେ ସମ୍ପୃକ୍ତ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ । ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓଜେଇଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ । ଓଜେଇଇ ଅଧ୍ୟକ୍ଷ ଏହାକୁ ଗ୍ରହଣ କରି ୨୨ ତାରିଖରେ ପରୀକ୍ଷା କରିବାକୁ ଘୋଷଣା କରିଛନ୍ତି ।