ଭୁବନେଶ୍ୱରରେ ଖୋଲିଲା ଓଡ଼ିଶାର ପ୍ରଥମ ରୋବୋଟିକ୍ ରେଷ୍ଟୁରାଣ୍ଟ୍, ଗ୍ରାହକଙ୍କୁ ପଚାରୁଛି, ଆପଣମାନେ ଖୁସି ତ!

ଭୁବନେଶ୍ୱର,ଏନ୍ଏନ୍ଏସ୍: ପଟିଆ ଅଞ୍ଚଳରେ ଖୋଲିଛି ରାଜ୍ୟର ପ୍ରଥମ ରୋବୋଟିକ୍ ରେଷ୍ଟୁରାଣ୍ଟ। ଏହାର ନାଁ ରହିଛି ରୋବୋ କେଫ୍। ଦୁଇ ରୋବଟ୍ ଚମ୍ପା ଆଉ ଚମେଲି ଏଠାରେ ଗ୍ରାହକଙ୍କୁ ଖାଦ୍ୟ ପରଷିବେ। ଗ୍ରାହକ ଏହି ରେଷ୍ଟୁରାଣ୍ଟରେ ପହଞ୍ଚିବା ମାତ୍ରେ ରୋବଟ୍ ଦୁଇ ଜଣ ଅଭିବାଦନ ଜଣାଇବା ସହିତ ନିଜ ନିଜର ପରିଚୟ ଦେବେ। ଏହାପରେ ବଢ଼ାଇଦେବେ ସୁଆଦିଆ ଖାଦ୍ୟର ତାଲିକା। ପସନ୍ଦ ଅନୁସାରେ ଆପଣ ଖାଦ୍ୟ ଅର୍ଡର କରିବା ପରେ ସେମାନେ ଆପଣଙ୍କ ଥାଳିରେ ଖାଦ୍ୟ ପରଷିବେ। ଖାଇସାରିବା ପରେ ଆପଣ ସେମାନଙ୍କ ସେବାରେ ସନ୍ତୁଷ୍ଟ କି ନୁହଁ ତାହା ବି ପଚାରିବୁଝିବା ଆଳରେ କହିବେ, ‘ଆପଣ ଖୁସି ତ?’

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଛି ଏହି ରୋବଟ୍। ପୁଣି ଦୁଇ ରୋବଟ୍ ଚାଲିବା ପାଇଁ ସ୍ୱତନ୍ତ୍ର ଟ୍ରାକ୍ ତିଆରି ହୋଇନାହିଁ। ସାଧାରଣ ଚଟାଣରେ ହିଁ ବୁଲାବୁଲି କରି ଗ୍ରାହକଙ୍କୁ ସେମାନେ ଖାଦ୍ୟ ପରଷିବେ। ବୁଧବାର ସନ୍ଧ୍ୟାରେ ଏହି ରୋବୋ କେଫ୍ ଉଦ୍ଘାଟିତ ହୋଇଛି।

ରୋବୋଟଙ୍କ ଦ୍ୱାରା ପରିଚାଳିତ ଏହି ରେଷ୍ଟୁରାଣ୍ଟ ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ଏବଂ ଦର୍ଶକମାନେ ଏହି ରେଷ୍ଟୁରାଣ୍ଟ ଖାଦ୍ୟର ମଜା ନେବା ସହିତ ରୋବୋଟଙ୍କ ସହିତ ଆଳାପ କରି ଏକ ଭିନ୍ନ ଅନୁଭୂତି ସାଉଁଟିବେ ବୋଲି କହିଛନ୍ତି ଏ ରେସ୍ତୋରାଁର ସତ୍ତ୍ୱାଧିକାରୀ ଜିତ୍ ବାସା। ଜିତ୍ ସିଭିଲ୍ ଇଞ୍ଜିନିୟରିଂ ସାରି କାଲିଫର୍ଣ୍ଣିଆରେ କିଛି ବର୍ଷ ଚାକିରି କରିବା ପରେ ସେଠାରୁ ଫେରି ଏହି ରେଷ୍ଟୁରାଣ୍ଟ ଆରମ୍ଭ କରିଛନ୍ତି। ରେଷ୍ଟୁରାଣ୍ଟ ଉଦ୍ଘାଟନୀ ଉତ୍ସବରେ ଓଲିଉଡ୍ ଅଭିନେତା ବାବୁସାନ, ଶ୍ରୀତମ ଦାସ, ବବି ମିଶ୍ର, ଅଭିନେତ୍ରୀ ଭୂମିକା, ନିର୍ଦ୍ଦେଶକ ତାପସ ସରଘରିଆ ପ୍ରମୁଖ ଉପସ୍ଥିତ ରହିଥିଲେ।