କଟକ,ଏନ୍ଏନ୍ଏସ୍: ୬୨ତମ ବରିଷ୍ଠ ପୁଲିସ ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀ ଆଜି ଅପରାହ୍ଣରେ ଭର୍ଚୁଆଲ ମାଧ୍ୟମରେ ଆରମ୍ଭ ହୋଇଥିଲା। ରାଜ୍ୟ ଆରକ୍ଷୀ ନିର୍ଦ୍ଦେଶକ ଅଭୟ ମୁଖ୍ୟ ଅତିଥି ଭାବେ ଏହାକୁ ଉଦଘାଟନ କରିଥିଲେ। ଚଳିତବର୍ଷ ଅପରାଧ ହାର ହ୍ରାସ ପାଇବା ଓ ମାଓ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସେ କହିଥିଲେ। ସେ ପୁଲିସର ମୌଳିକ ପ୍ରସଙ୍ଗ ଆଇନ ଶୃଙ୍ଖଳା, ପୁଲିସ ନେତୃତ୍ୱ, ଅପରାଧ ନିୟନ୍ତ୍ରଣ ଉପରେ ଆଲୋକପାତ କରିବା ସହ ପୁଲିସ ନେତୃତ୍ୱର ନିରନ୍ତର ସମୀକ୍ଷା, ଅପରାଧରେ ପୀଡିତା ମହିଳା ଓ ଶିଶୁଙ୍କ ପ୍ରତି ସମ୍ବେଦନଶୀଳ ହେବା ସହ ଅଗ୍ରାଧିକାର ଉପରେ ଗୁରୁତ୍ୱାରୋପ କରିଥିଲେ।
ଅପରାଧ ତଦନ୍ତରେ ବୃତ୍ତିଗତ ଦକ୍ଷତା ବୃଦ୍ଧି, ପୁଲିସର ଉତ୍ତର ଦାୟିତ୍ୱ, ସାମାଜିକ ଗଣମାଧ୍ୟମକୁ ତତକାଳ ପ୍ରତିକ୍ରିୟା ପ୍ରଦାନ, ସାଇବର ଅପରାଧ ତଦନ୍ତ ପାଇଁ ଦକ୍ଷତା ବୃଦ୍ଧି, ନୂତନ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରି ପୁଲିସ ସେବାର ମାନ ବୃଦ୍ଧି କରିବା, କାର୍ଯ୍ୟରତ ଅଧସ୍ତନ କର୍ମଚାରୀ ଓ ସାଧାରଣ ଜନତାଙ୍କୁ ସୌଜନ୍ୟତା ପ୍ରଦର୍ଶନ କରିବାକୁ ସେ ପରାମର୍ଶ ଦେଇଥିଲେ। ଉଦଘାଟନୀ କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ବାମପନ୍ଥୀ ସନ୍ତ୍ରାସବାଦ କାର୍ଯ୍ୟ କଳାପ ଉପରେ ହୋଇଥିବା ଆଲୋଚନାରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ, ଡିଆଇଜି ଏସଆଇଡବ୍ଲୁ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଏସପି ଅଂଶ ଗ୍ରହଣ କରିଥିଲେ।