ଜୁଆର ପାଣି ରୋକିବାକୁ ଦୀର୍ଘ ମିଆଦି ଯୋଜନା, ସମୁଦ୍ର କୂଳରେ ନିର୍ମାଣ ହେବ ପଥର ବନ୍ଧ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଶ୍ୱ ବ୍ୟାଙ୍କ ସହାୟତାରେ ସମୁଦ୍ର ଜୁଆର ପାଣି ରୋକିବାକୁ ସରକାର ପ୍ରସ୍ତୁତ କରିଛନ୍ତି ଦୀର୍ଘ ମିଆଦି ଯୋଜନା। ଜଳ ସମ୍ପଦ ବିଭାଗର ତତ୍ତ୍ୱାବଧାନରେ ପ୍ରସ୍ତୁତ ହେଉଛି ଡିପିଆର। ଅର୍ଥାତ ସମୁଦ୍ର କୂଳରେ ନିର୍ମାଣ ହେବ ପଥର ବନ୍ଧ। ୧୯୪୪ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ କରୁଛି ଜଳ ସମ୍ପଦ ବିଭାଗ। ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।

ଶ୍ରୀ ରଥ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୩୮୦ କିମି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପଥର ବନ୍ଦ ବନ୍ଧାଯିବ। ତା ଉପରେ ଜାଲ ପକାଯାଇ ପବନ ରୋକିବାକୁ ଗଛ ଲଗାଯିବ। ଏହା ପୂର୍ବରୁ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ବିଶ୍ୱବ୍ୟାଙ୍କ ସହାୟତାରେ ୨୦୧୩-୧୬ ମଧ୍ୟରେ ୫୨ କିଲୋମିଟର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ସୁଦୃଢ଼ୀକରଣ କରାଯାଇଥିଲା। ପଥର ଓ ତାର ଜାଳି ଦିଆଯାଇ ସୁଦୃଢ଼ୀକରଣ କରାଯାଇଥିଲା। ବାତ୍ୟା ପରେ ବି ଏହା ଏବେ ସୁରକ୍ଷିତ ରହିଛି। ଏଥିପାଇଁ ୧୫୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହା ପରେ ୧୬୮୦ କିମି ଲୁଣା ବନ୍ଧକୁ ସୁଦୃଢ଼ କରଣ କରାଯିବ।

ଏଥିପାଇଁ ୬ ରୁ ୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ସମୁଦ୍ର ଜୁଆରକୁ ରୋକିବା ଲାଗି ୬ରୁ ୭ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୪୮୦ କିଲୋମିଟର ଉପକୂଳ ଏବଂ ୧୬୫୦ କିଲୋମିଟର ଲୁଣା ବନ୍ଧ। ଏହା ସହ ଉପକୂଳ ଅଞ୍ଚଳରେ ବି ଡିଜାଷ୍ଟର ରେଜିଲେଣ୍ଟ ଏନର୍ଜି ସିଷ୍ଟମ ବା ବାତ୍ୟା ସହ୍ୟ କରିପାରୁଥିବା ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯିବ ବୋଲି ଜଣାପଡ଼ିଛି।