ଆରମ୍ଭ ହେଲା ‘ଓଡ଼ିଶା ମୋ ପରିବାର’: ରାଜନୀତିରୁ ଊଦ୍ଧ୍ୱର୍ରେ ରହି ସେବା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରବିବାର ‘ଓଡ଼ିଶା ମୋ ପରିବାର’ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ସେବା ଓ ବିପନ୍ନ ଓଡିଆଙ୍କୁ ସହାୟତା ବିଷୟରେ କାର୍ଯ୍ୟ କରିବା ପାଇଁ ବିଶେଷ ଗୁରୁତ୍ୱାରେପ କରାଯାଇଥିଲା। ରାଜନୀତିରୁ ଊଦ୍ଧ୍ୱର୍ରେ ରହି ସମାଜ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କ ସମେତ ସାଂସଦ ଅଚ୍ୟୁତ ସାମନ୍ତ, ଚନ୍ଦ୍ରଶେଖର ସାହୁ, ପିନାକୀ ମିଶ୍ର, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଲତିକା ପ୍ରଧାନ, ଅନନ୍ତ ନାରାୟଣ ଜେନା, ସଞ୍ଜିବ ମଲ୍ଲିକ, ମନୋହର ରନ୍ଧାରୀଙ୍କ ସମେତ ନଳିନୀକାନ୍ତ ପ୍ରଧାନ, ସୁଚିତ ଦାସ ଓ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ଓଡ଼ିଶାବାସୀଙ୍କ ସମେତ ଓଡିଶା ବାହାରେ ରହୁଥିବା ଓଡିଆ ଲୋକଙ୍କୁ ସେବା ଯୋଗାଇ ଦେବାପାଇଁ ଓଡିଶା ମୋ ପରିବାର ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। ଜୀବନ ବିନ୍ଦୁ ଓ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ କମିଟି କାର୍ଯ୍ୟ କରିବ। ପରିବେଶ କ୍ଷେତ୍ରରେ ବୃକ୍ଷରୋପଣ, ପ୍ଲାଷ୍ଟିକମୁକ୍ତ ଓଡିଶା, ଜଳାଶୟ ଗୁଡିକର ପୁନରୁଦ୍ଧାର ପରିବେଶ କମିଟିର ଦାୟିତ୍ୱ ରହିବ। ବିପନ୍ନ ଓଡିଆମାନଙ୍କୁ ସାହାଯ୍ୟ କରିବା ଓ ପ୍ରବାସୀ ଓଡିଆଙ୍କ ସହିତ ଓଡିଶାର ଅଧିକ ସମ୍ପର୍କ ଗଢିବା ଏହି ସବ-କମିଟିର ଦାୟିତ୍ୱ ରହିବ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକ ଲକ୍ଷ ବନ୍ଧୁ ସେବା କାର୍ଯ୍ୟରେ ସହଯୋଗ କରିବେ। ଜାତିର ପିତା ମହାତ୍ମାଗାନ୍ଧୀ, ଉତ୍କଳ ମଣି ଗୋପବନ୍ଧୁ ଦାଶ, ଉତ୍କଳ ଗୌରବ ମଧୁସୂଦନ ଦାଶ ଏବଂ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଓଡିଶା ମୋ ପରିବାର କାର୍ଯ୍ୟ କରିବ। ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଣ ଓ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ୩ଟି କମିଟି ଗଠନ କରିଛନ୍ତି।

ସେହିଭଳି ରକ୍ତଦାନ ସେବା ଓ କଲ୍ୟାଣ କମିଟିରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଲତିକା ପ୍ରଧାନ, ମନୋହର ରନ୍ଧାରୀ, ସୁଶାନ୍ତ କୁମାର ରାଉତ, ରୀତା ତରାଇ, ଅନନ୍ତ ନାରାୟଣ ଜେନାଙ୍କ ସମେତ ବିଜେଡିର ସୁନିତା ବିଶ୍ୱାଳ, ଭାରତୀ ସିଂହ ଓ ଗୌରହରି ମିଶ୍ର ଥିବାବେଳେ ବିପନ୍ନ ଓଡିଆଙ୍କ ସହାୟତା ପାଇଁ ଗଠିତ କମିଟିରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ସଞ୍ଜୀବ କୁମାର ମଲିକ, ସୁଧୀର ସାମଲଙ୍କ ସମେତ ବିଜେଡିର ଡେଜାଲିନ ମହାପାତ୍ର ରହିଛନ୍ତି। ଆଜିର ବୈଠକ ଶେଷରେ ଓଡିଶା ମୋ ପରିବାରର ଆବାହକ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।