ଖାଦ୍ୟ ସୁରକ୍ଷା ଯୋଜନାର ସଫଳ ରୂପାୟନରେ ଓଡିଶା ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖାଦ୍ୟ ସୁରକ୍ଷା ଯୋଜନାର ସଫଳ ରୂପାୟନରେ ଓଡିଶା ଅଗ୍ରଣୀ ରାଜ୍ୟ ହୋଇଛି। ସଫଳତାର ସହ ରାଜ୍ୟ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟ ଗସ୍ତରେ ଆସିଥିବା ନେପାଳର ଏକ ଉଚ୍ଚସ୍ତରୀୟ ଷ୍ଟଡି ମିଶନ ଓଡିଶାରେ ଖାଦ୍ୟ ସୁରକ୍ଷା ଯୋଜନାର ସଫଳ ରୂପାୟନରେ ପ୍ରଭାବିତ ହୋଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଇଣ୍ଟରଆକ୍ଟିଭ ସେସନରେ ନେପାଳ ଷ୍ଟଡି ମିଶନର ସଦସ୍ୟମାନେ ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାର କାର୍ଯ୍ୟକାରୀ ନେଇ ଅଭିନବ ଶୈଳୀ ସଂପର୍କରେ ଅବଗତ ହୋଇଥିଲେ।

କେହି ବି ଭୋକିଲା ଯେମିତି ନ ରହିବେ, ଏହା ରାଜ୍ୟ ସରକାର ନିଶ୍ଚିତ କରିଛନ୍ତି। ଏହା ହିଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଆଦର୍ଶ ବୋଲି ନେପାଳ ଟିମକୁ ସମ୍ବୋଧିତ କରି କହିଛନ୍ତି ମୁଖ୍ୟ ଶାସନ ସଚିବ। ଖାଦ୍ୟ ସୁରକ୍ଷା, ଖାଉଟି କଲ୍ୟାଣ, ମହିଳା ଓ ଶିଶୁ ବିକାଶ, କୃଷି ଓ କୃଷକ ସଶକ୍ତିକରଣ, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ଓ ଅନ୍ୟାନ୍ୟ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରାଯାଇ ଯୋଜନାର ସଫଳ ରୂପାୟନ ହେଉଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ସହ ବୟସ୍କ, ଦିବ୍ୟାଙ୍ଗ ଓ ଅନାଥଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ବୋଲି ନେପାଳ ଟିମକୁ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ। ଏହି ଅବସରରେ ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ସଚିବ ବୀର ବିକ୍ରମ ଯାଦବ ଗତ ଦୁଇ ଦଶକରେ ଖାଦ୍ୟ ସୁରକ୍ଷା ପଥରେ ଓଡିଶାର ଯାତ୍ରା ସଂପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ।