କାଲି ଓଡ଼ିଶା ଆସିବେ ହକି ହିରୋ

  • ଭୁବନେଶ୍ୱର: ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ଅଲିମ୍ପିକ୍ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ସଫଳତା ପରେ ଭାରତୀୟ ପୁରୁଷ ହକି ଟିମକୁ ଚାରିଆଡ଼ୁ ଶୁଭେଚ୍ଛାରୁ ସୁଅ ଛୁଟୁଛି। ଭାରତୀୟ ହକି ଟିମର ପ୍ରାୟୋଜକ ଥିବା ଓଡ଼ିଶା ମଧ୍ୟ ଏଥିରେ ପଛାଇ ନାହିଁ। ସେହିପରି ମହିଳା ଦଳ ପଦକରୁ ବଞ୍ଚିତ ହୋଇଥିଲେ ହେଁ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ମନ ଜିଣିଛି। ମଙ୍ଗଳବାର ଉଭୟ ପୁରୁଷ ଓ ମହିଳା ଦଳକୁ ରାଜଧାନୀ ଭୁବନେଶ୍ୱରରେ ସମ୍ବର୍ଦ୍ଧନା ଦିଆଯିବ। ଆସନ୍ତାକାଲି ଦିନ ୧୧ଟାରେ ଖେଳାଳିମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ ୨ ଟିମକୁ ସ୍ୱତନ୍ତ୍ର ବସରେ ହୋଟେଲକୁ ନିଆଯିବ। ଖେଳାଳିଙ୍କୁ ସ୍ୱାଗତ କରିବା ଲାଗି ବଡ଼ ବଡ଼ ପୋଷ୍ଟର ଏୟାରପୋର୍ଟରୁ ଜାଭିୟର ଛକ ଯାଏଁ ଲଗାଯାଇଛି। ହୋଟେଲରେ କିଛି ଘଣ୍ଟା ବିଶ୍ରାମ ନେବା ପରେ ସନ୍ଧ୍ୟା ୫ଟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କ ଫଟୋସୁଟ୍ କରାଯିବ। ସନ୍ଧ୍ୟା ସାଢ଼େ ୬ଟାରେ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର।
  • ଖେଳାଳିଙ୍କ ରହିବା ଓ ଖାଇବା ଲାଗି ହୋଟେଲ୍ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତ ହୋଇଛି। ଏବେଠାରୁ ବ୍ରୋଞ୍ଜ୍ ବିଜେତା ପୁରୁଷ ଦଳରେ ଓଡ଼ିଶାର ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ରହିଥିବା ବେଳେ ମହିଳା ଟିମରେ ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ଅଛନ୍ତି। ଏପରିକି ଓଡ଼ିଶା ଉଭୟ ଦଳର ପ୍ରାୟୋଜକ ରହିଛି।