ପ୍ରିକସନ୍ ଡୋଜ୍‌ରେ ଓଡ଼ିଶା ଦେଶରେ ଯୁଗ୍ମ ସର୍ବାଧିକ: ରାଜ୍ୟରେ ୮କୋଟି ଟପିଲା ଟିକାକରଣ

ଭୁବନେଶ୍ବର,ଏନ୍ଏନ୍ଏସ୍: ପ୍ରିକସନ୍ ଡୋଜ୍ ଟିକାକରଣ ସତ୍ତ୍ବେ ଓଡ଼ିଶା‌କୁ ସଫଳତା ମିଳିଛି। ଜାତୀୟସ୍ତରରେ ସର୍ବାଧିକ ପ୍ରିକସନ୍ ଡୋଜ୍ ଦିଆଯାଇଥିବା ରାଜ୍ୟ ତାଲିକାରେ ଛତିଶଗଡ଼ ଓ ଓଡ଼ିଶା ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି। ଦୁଇ ରାଜ୍ୟରେ ୪୧ ପ୍ରତିଶତ ପର୍ଯ୍ୟନ୍ତ ଲୋକ ପ୍ରିକସନ୍ ଡୋଜ୍ ଟିକା ନେଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟସ୍ତରରେ ପ୍ରିକସନ୍ ଡୋଜ୍ ହାର ୨୫ ପ୍ରତିଶତ ରହିଛି।

ଚଳିତମାସ ୩୦ତାରିଖ ପର୍ଯ୍ୟନ୍ତ ୧୮-୫୯ବର୍ଷର ଲୋକଙ୍କୁ ମାଗଣାରେ ପ୍ରିକସନ୍ ଡୋଜ୍ ଟିକା ଦିଆଯିବ। ଆଗକୁ ଏହି ଅବଧିରେ ବୃଦ୍ଧି କରାଯିବ କି ନାହିଁ ତାହା ସଂପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ସମୟସୀମା ଶେଷ ହେଉଥିବା ପରିପ୍ରେକ୍ଷୀରେ ପ୍ରିକସନ୍ ଡୋଜ୍ ନେବା ପାଇଁ ରାଜ୍ୟରେ ଆଗ୍ରହ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଗତ ୨୪ତାରିଖ ସୁଦ୍ଧା ଓଡ଼ିଶା-ଛତିଶଗଡ଼ରେ ୪୧ ପ୍ରତିଶତ ଓ ସିକ୍କିମ୍‌ରେ ୪୦ ପ୍ରତିଶତ ଲୋକ ନିଜର ପ୍ରିକସନ୍ ଡୋଜ୍ ଟିକା ନେଇଛନ୍ତି। ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବର ୯୪ ପ୍ରତିଶତ, ଲଦାଖ ୬୩ ଓ ପୁଡୁଚେରୀରେ ଏହି ହାର ୫୬ ପ୍ରତିଶତ ରହିଛି। ତେବେ ୪ଟି ରାଜ୍ୟରେ ସର୍ବନିମ୍ନ ପ୍ରିକସନ୍ ଡୋଜ୍ ଟିକାକରଣ ହୋଇଛି। ମେଘାଳୟରେ ୯, ଝାଡ଼ଖଣ୍ଡ, ନାଗାଲାଣ୍ଡ ଓ ପଞ୍ଜାବରେ ୧୦ ପ୍ରତିଶତ ଲେଖାଏ ପ୍ରିକସନ୍ ଡୋଜ୍ ଟିକା ଦିଆଯାଇଛି।