ମାଓ ମୁକାବିଲା ପାଇଁ ଓଡ଼ିଶାକୁ ମିଳିଛି ୧୪ କୋଟି କେନ୍ଦ୍ରୀୟ ପାଣ୍ଠି

ଭୁବନେଶ୍ୱର, ଏନ୍ଏନ୍ଏସ୍: ଓଡ଼ିଶାର ମାଓ ପ୍ରଭାବିତ ଜିଲ୍ଲାମାନଙ୍କୁ ସୁରକ୍ଷା ସଂପର୍କିତ ଖର୍ଚ୍ଚ ବାବଦକୁ ବର୍ଷ ୨୦୨୦-୨୧ରେ ମିଳିଛି ମୋଟ ୧୪.୨୫ କୋଟି ଟଙ୍କାର କେନ୍ଦ୍ରୀୟ ପାଣ୍ଠି। ଆଜି ଲୋକସଭାରେ ଏ ସମ୍ପର୍କିତ ତଥ୍ୟ ପ୍ରଦାନ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ । ଦେଶର ମାଓ ପ୍ରଭାବିତ ଜିଲ୍ଲା ଭାବେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶର ମୋଟ ୫୪ଟି ଜିଲ୍ଲାକୁ ତାଲିକାଭୁକ୍ତ କରି ୨୦୧୮ ପରଠୁ ପାଣ୍ଠି ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ଏହି ତାଲିକାରେ ୬୪ଟି ଜିଲ୍ଲା ରହିଥିଲା। ଓଡ଼ିଶାରୁ ୧୫ଟି ଜିଲ୍ଲା ଯଥା ଅନୁଗୋଳ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼ ମାଓ ପ୍ରଭାବିତ ଜିଲ୍ଲା ତାଲିକାରେ ରହିଛନ୍ତି। ତେବେ ଏଥିମଧ୍ୟରୁ ବୌଦ୍ଧ, ସମ୍ବଲପୁର, ନୟାଗଡ଼, ଅନୁଗୋଳ, ଦେବଗଡ଼, ନବରଙ୍ଗପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷ ୨୦୨୦ରେ ଗୋଟିଏ ବି ମାଓ ହିଂସାକାଣ୍ଡ ଘଟିନଥିବା ମନ୍ତ୍ରୀ ଜଣାଇଛନ୍ତି। ୨୦୧୭-୧୮ରେ ୧୦ କୋଟି, ୨୦୧୮-୧୯ରେ ୬୬.୬୭ କୋଟି ଏବଂ ୨୦୧୯-୨୦ରେ ୬୬.୬୬ କୋଟି ଟଙ୍କା କେନ୍ଦ୍ରରୁ ବିଭିନ୍ନ ରାଜ୍ୟକୁ ମାଓ ମୁକାବିଲା ଲାଗି ପ୍ରଦାନ କରାଯାଇଛି।