ନଭେମ୍ବର ୧୫ରୁ ସ୍କୁଲ ଯିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା, ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ବିଦ୍ୟାଳୟ। ଦୀପାବଳି ପରେ ସ୍କୁଲ ଖୋଲିବା ନେଇ ମିଳିଥିବା ସୂଚନା ସତ ପ୍ରମାଣିତ ହୋଇଛି। ଆସନ୍ତା ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ। ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

କୋଭିଡର ପରବର୍ତ୍ତୀ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଦ୍ୱାଦଶ, ଦଶମ, ନବମ ଖୋଲିବା ପରେ ଅଷ୍ଟମ ଶ୍ରେଣୀ ମଧ୍ୟ ଖୋଲିଛନ୍ତି ରାଜ୍ୟ ସରକାର। କୋଭିଡ଼ ନିୟମ ଅନୁପାଳନ ସହ ସମସ୍ତ ନିୟମ ବାଧ୍ୟତାମୂଳକ କରାଯାଇଛି। ସେପଟେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ରାଜ୍ୟ ସରକାର ବିଚାର କରୁଥିବା ସୂଚନା ଦେଇଥିଲେ ମନ୍ତ୍ରୀ ସମୀର ରଞ୍ଜନ ଦାସ।

ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଥିଲା। ନବମ ଶ୍ରେଣୀର ଶିକ୍ଷାଦାନ ଅଗଷ୍ଟ ୧୬ ତାରିଖରୁ ଏବଂ ଏକାଦଶ ଶ୍ରେଣୀର ଶିକ୍ଷାଦାନ ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ କରାଯାଇଛି। ତେବେ ଦୀପାବଳି ପରେ ବାକି ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ମନ୍ତ୍ରୀ ସୂଚନା ଦେଇଥିଲେ। ତେବେ ନଭେମ୍ବର ୧୫ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ ବୋଲି ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ।