କଟକ,ଏନ୍ଏନ୍ଏସ୍: ବିପ୍ଳବୀ କବି ରବି ସିଂଙ୍କ ରବିବାର କଟକର ଖପୁରିଆ ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ତାଙ୍କର ପଥପ୍ରାନ୍ତର କବିତା ଚରମ ପତ୍ର, ଦୁର୍ଗମ ଗିରି, ଲାଲ ପଗଡର ପ୍ରେତ, ପଦ ଟିକା, ସର୍ବହରା ବନ୍ୟା, ଭଙ୍ଗାହାତର କବିତା, ଅନ୍ୟାୟର ଚାରିପାଦ ପ୍ରଭୃତି କବିତା ସଂକଳନର ରଚନା କରିଥିଲେ। ତେବେ ୧୯୬୧ ମସିହାରେ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ ଓଡ଼ିଆ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୭ରେ ତାଙ୍କୁ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ କରାଯାଇଥିଲା।
୧୯୩୪ ମସିହାରେ ସେ କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଏଥିରେ ଶ୍ରୀ ସିଂ ପ୍ରଭାବିତ ହୋଇ ସ୍ୱାଧୀନତା ସଂଗ୍ରାମରେ ସେ ଭାଗ ନେଇଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ ସିଂ ୧୯୪୮ରେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ ଅଂଶଗ୍ରହଣ କରିଥିଲେ। ପରେ ୧୯୫୩ରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇଥିଲେ। ସେହିପରି ୧୯୫୫ରେ ଗୋଆ ମୁକ୍ତି ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ। ଏହା ପରଠାରୁ ତାଙ୍କର ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା।