ସ୍କୁଲରେ ଲାଗୁହେବ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋରୋନା ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପି ଲକଡାଉନ କଟକଣା ଜାରି ରହିଥିବା ବେଳେ ଏଣିକି ସ୍କୁଲରେ ଯୁଗ୍ମ-ଅଯୁଗ୍ମ ରୋଲ ନମ୍ବର ଆଧାରରେ ପାଠପଢ଼ା ହେବ। ଏ ନେଇ ଏନସିଇଆରଟି ନିର୍ଦ୍ଦେଶକ ହୃଷିକେଶ ସେନାପତି ସୂଚନା ଦେଇଛନ୍ତି। ଯୁଗ୍ମ ତାରିଖରେ ଯୁଗ୍ମ ରୋଲ ନମ୍ବର ଥିବା ଛାତ୍ରଛାତ୍ରୀ ଓ ଅଯୁଗ୍ମ ତାରିଖରେ ସ୍କୁଲ ଆସିବେ ଅଯୁଗ୍ମ ରୋଲ ନମ୍ବର ଥିବା ଛାତ୍ରଛାତ୍ରୀ। ଏନେଇ ଖୁବ ଶୀଘ୍ର ଗାଇଡଲାଇନ ପ୍ରସ୍ତୁତ କରାଯାଇ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟକୁ ପଠାଯିବ ଏବଂ ଅନୁମତି କ୍ରମେ ସବୁ ରାଜ୍ୟକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି। ଏହି ସମୟରେ ଯୁଗ୍ମ ଦିନରେ ପଢ଼ା ଯାଇଥିବା ପାଠ ଅଯୁଗ୍ମ ଦିନରେ ମଧ୍ୟ ପଠାଯିବ ବୋଲି ଜଣାପଡ଼ିଛି।

ସାମାଜିକ ଦୂରତା ରକ୍ଷା ସହ ବ୍ୟକ୍ତିଗତ ମୂଲ୍ୟାୟନ ଏବଂ ଶିକ୍ଷାଦାନ-ଶିକ୍ଷାଗ୍ରହଣ ଆଦି ପ୍ରସଙ୍ଗ ରହିଛି। ଏ ନେଇ ଆସନ୍ତା ସପ୍ତାହରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ମାର୍ଗଦର୍ଶିକା ଘୋଷଣା କରିବାର ସମ୍ଭାବନା ରହିଛି। ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥା ବ୍ୟତୀତ ସପ୍ତାହ ଅଦଳ ବଦଳ ବ୍ୟବସ୍ଥା ଉପରେ ମଧ୍ୟ ବିଚାର କରାଯାଉଛି। ଘରେ ରହୁଥିବା ଦିନ ଛାତ୍ରଛାତ୍ରୀମାନେ କ’ଣ କରିବେ ତାହାର ମଧ୍ୟ ଏହି ମାର୍ଗଦର୍ଶିକାରୁ ଜଣାପଡ଼ିବ। ଏହାଛଡ଼ା ଆଉ ଏକ ବିକଳ୍ପ ହେଉଛି, ସ୍କୁଲ ସବୁ ଅନଲାଇନ୍ କ୍ଲାସ୍ କରାଇ ସେଥିରେ ପିଲାମାନଙ୍କୁ ପାଠ ଓ ଅନ୍ୟାନ୍ୟ କାର୍ୟ୍ୟକଳାପ ଦେଇ ପାରିବେ। ଏହି ମାର୍ଗଦର୍ଶିକାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେଉଛି। ସୋମବାର ଦିନ ଏହାର ଡ୍ରାଫ୍ଟ୍ ମନ୍ତ୍ରାଳୟରେ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି।