କରୋନା ଦ୍ୱିତୀୟ ଲହରୀ ସମ୍ଭାବନା ନାହିଁ

କଟକ,ଏନ୍ଏନ୍ଏସ୍: କରୋନା ମହାମାରୀ ନେଇ ରାଜ୍ୟବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ରାଜ୍ୟରେ ଏବେ ଦ୍ୱିତୀୟ ସଂକ୍ରମଣର ଆଶଙ୍କା ନାହିଁ। ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। କିନ୍ତୁ ଫେବୃଆରୀ ପର୍ଯ୍ୟନ୍ତ ସତର୍କ ରହି ନିୟମ ମାନିବାକୁ ପଡ଼ିବ। ଏସସିବି ମେଡିକାଲ କଲେଜ୍ ୱେବ୍ସାଇଟ୍ ଉନ୍ମୋଚନ ଅବସରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା।

ସେ କହିଛନ୍ତି, ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ସମ୍ଭାବନା ନାହିଁ। କରୋନା ଗ୍ରାଫ ଢେର ହ୍ରାସ ପାଇଛି। ତଥାପି ଟିକା ନଆସିବା ଯାଏଁ ଆମକୁ ସତର୍କ ରହିବାକୁ ପଡ଼ିବ। ରାଜ୍ୟରେ ସଂପ୍ରତି କରୋନା ସଂକ୍ରମଣର ପ୍ରଭାବ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୫୦୦ରୁ କମ୍ ରହୁଛି। ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି। ଗତ ଦୁଇ ମାସରୁ ଅଧିକ ସମୟ ହେବ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

ଦିଲ୍ଲୀ, ମହାରାଷ୍ଟ୍ର ଓ କେରଳରେ କରୋନାର ଦ୍ୱିତୀୟ ଲହରୀ ଦେଖି ରାଜ୍ୟରେ ମଧ୍ୟ ଆଶଙ୍କା ପ୍ରକାଶ ପାଇଥିଲା। ଦ୍ୱିତୀୟ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏବେ ରାଜ୍ୟରେ କରୋନା ପ୍ରକୋପ ନାହିଁ କହିଲେ ଚଳେ। ପୂର୍ବ ପରି ମଧ୍ୟ ଲୋକଙ୍କ ମଧ୍ୟରେ କରୋନାକୁ ନେଇ ଭୟ ନାହିଁ। ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସିନେମା ହଲ୍ ଆଦି ଛାଡ଼ି ଦେଲେ ସମସ୍ତ କାର୍ଯ୍ୟ କ୍ଷେତ୍ର ଖୋଲିଯାଇଛି। ଏହା ମଧ୍ୟରେ ରାଜ୍ୟ କୋଭିଡ୍ ପରାମର୍ଶଦାତାଙ୍କ ସୂଚନା ରାଜ୍ୟବାସୀଙ୍କୁ ଆହୁରି ଆଶ୍ୱସ୍ତି କରିଛି।