ପୁରୀ ହାଜତ ମୃତ୍ୟୁ ମାମଲା, ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଏନଏଚଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତକାଲି ପୁରୀରେ କେ ରମେଶଙ୍କ ହାଜତ ମୃତ୍ୟୁ ମାମଲାରେ ରାଜ୍ୟସରକାରଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଜାତୀୟ ମାନବ ଅଧିକାର ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ହାଜତ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହ ନେଇ ଜାତୀୟ ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ ନୋଟିସ କରିବା ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ପୁଲିସ ଡିଜିଙ୍କୁ ମଧ୍ୟ ନୋଟିସ କରିଛନ୍ତି। ଏହି ଘଟଣାରେ ରାଜ୍ୟ ସରକାର ଜାତୀୟ ମାନବାଧିକାର କମିଶନଙ୍କୁ ୪ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏନଏଚଆରସି କହିଛନ୍ତି ହାଜତ ମୃତ୍ୟୁ କେବେବି ଗ୍ରହଣୀୟ ନୁହେଁ। ଏଥି ସହିତ କେଉଁ କାରଣରୁ କେ. ରମେଶଙ୍କର ମୃତ୍ୟୁ ହେଲା ସେ ବିଷୟରେ ରାଜ୍ୟ ସରକାର ଜାତୀୟ ମାନବାଧିକାର କମିଶନଙ୍କୁ ସବିଶେଷ ରିପୋର୍ଟ ଦାଖଲ କରିବେ। ଏହାସହିତ ଅଭିଯୋଗ ଏବଂ ଅଭିଯୁକ୍ତ ନାଁରେ ଦାୟର ହୋଇଥିବା ଏତଲା କପି, ଆରେଷ୍ଟ ମେମୋ ସହିତ ଗିରଫ ନେଇ ପରିବାରକୁ ଜଣାଯାଇଥିଲା କି ନାହିଁ ସେ ବିଷୟରେ ବି ଜଣାଇବା ସହ ମୃତକଙ୍କ ମେଡିକାଲ ଲିଗାଲ ସାର୍ଟିଫିକେଟ କପି ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି।

ସୂଚନାଯୋଗ୍ୟ, ଆଜି ପୁରୀ ହାଜତ ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଜାତୀୟ ମାନବାଧିକାର ଆୟୋଗଙ୍କୁ ଭେଟି ଘଟଣାର ହାଜତ ମୃତ୍ୟୁ ମାମଲାର ତଦନ୍ତ କରିବା ସହ ମୃତକଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ଅପିଲ କରିଥିଲେ।