ଅଗଷ୍ଟ ୧୫ରୁ ନୂଆ ସ୍ମାର୍ଟ ହେଲଥ କାର୍ଡ

  • ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ପୁରୁଣା କାର୍ଡ ହଟିବ। ନୂଆ ସ୍ମାର୍ଟ ହେଲଥ କାର୍ଡ ଆସିବ। ଓକାକ୍ ଏହି କାର୍ଡ ପ୍ରସ୍ତୁତ କରୁଛି। ସ୍ୱାସ୍ଥ୍ୟ ବିଭାଗ ଡିଜାଇନ ଦେବା ପରେ କାର୍ଡ ପ୍ରସ୍ତୁତ ହୋଇଛି। ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଏହି କାର୍ଡ ବଣ୍ଟନ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ଦିବସ ପରେଡ ଗ୍ରାଉଣ୍ଡରୁ ଏ ନେଇ ଘୋଷଣା କରିପାରନ୍ତି। ମିଳିଥିବା ସୂଚନା ମୁତାବକ, ରାସନ କାର୍ଡ ବା ଖାଦ୍ୟ ସୁରକ୍ଷା କାର୍ଡ ଥିବା ସମସ୍ତ ହିତାଧିକାରୀଙ୍କୁ ଏହି କାର୍ଡ ମିଳିବ। ପ୍ରତି ପରିବାରକୁ ଦୁଇଟି ଲେଖାଏଁ କାର୍ଡ ଦିଆଯିବ। କାର୍ଡରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି। କାର୍ଡ ସହିତ କେଉଁ କେଉଁ ହସ୍ପିଟାଲରେ ରୋଗୀ ଚିକିତ୍ସା ପାଇପାରିବେ ସେ ସମ୍ପର୍କିତ ସୂଚନା ପାଇଁ ଏକ ପୁସ୍ତକ ମଧ୍ୟ ଦିଆଯିବ। ରାଜ୍ୟରେ ଏବେ ୯୬ ଲକ୍ଷ ୬୦ ହଜାର ପରିବାର ପାଖରେ ଜାତୀୟ ଖାଦ୍ୟ ସୁରକ୍ଷା ନୀତି ଅନୁସାରେ ରାସନ୍ କାର୍ଡ ରହିଛି। ପରିବାର ଲୋକ ବା ହିତାଧିକାରୀ ସଂଖ୍ୟାକୁ ଧରିଲେ ଏହି ସଂଖ୍ୟା ୨ କୋଟି ୨୪ ଲକ୍ଷ ପାଖାପାଖିକୁ ବଢ଼ିଯାଇଛି । ଏହାବାଦ୍ ରାଜ୍ୟର ନିଜସ୍ୱ ଖାଦ୍ୟନୀତି ଅନୁସାରେ ୧୪ ଲକ୍ଷ ହିତାଧିକାରୀଙ୍କୁ ମଧ୍ୟ ସାମିଲ କରାଯାଇଛି।
    ରାଜ୍ୟର ସାଢ଼େ ୪ କୋଟି ଜନସଂଖ୍ୟାରୁ ଅଢ଼େଇ କୋଟି ଲୋକଙ୍କୁ ନୂଆ କାର୍ଡ ଜରିଆରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଯୋଜନା ହୋଇଛି। ଏବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପାଖାପାଖି ୭୫ ଲକ୍ଷ କାର୍ଡ ବଣ୍ଟନ କରାଯାଇଛି। ଏଥିରେ ଆଉ ୨୦ ଲକ୍ଷ ନୂଆ ପରିବାରକୁ ସାମିଲ କରାଯିବ। ନୂଆ କାର୍ଡ ଆଣିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଜନାରେ ସାମିଲ ଥିବା ଘରୋଇ ହସ୍ପିଟାଲକୁ ନେଇ ଏକାଧିକ ବୈଠକ ମଧ୍ୟ ହୋଇସାରିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ସ୍ୱାସ୍ଥ୍ୟ ବିଭାଗର ସବୁଠୁ ମହତାକାଂକ୍ଷୀ ଯୋଜନାଭାବେ ଚିତ୍ରଣ କରିବା ସହ ଅଧିକ ଲୋକାଭିମୁଖୀ କରାଯାଉଛି। ନୂଆ କାର୍ଡକୁ ପର୍ଯ୍ୟାୟକ୍ରମେ ପଞ୍ଚାୟତ ଅଫିସ୍ ଓ ପୌର ପରିଷଦ ଅଫିସରେ ବଣ୍ଟନ କରାଯିବ। ରାଜ୍ୟରେ ଏମିତି ଅନେକ ପରିବାର ଅଛନ୍ତି ଯେଉଁମାନେ ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଛନ୍ତି। ସେମାନଙ୍କ ରାସନ କାର୍ଡ ନାହିଁ।ଏଭଳି କ୍ଷେତ୍ରରେ ଏହି ହିତାଧିକାରୀଙ୍କୁ ବାଦ୍ ଦିଆଯିବ ନା ଅତିରିକ୍ତଭାବେ ସାମିଲ କରାଯିବ ସେନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି ସରକାର।