ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ନୂଆ ନିୟମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ଆସିଲା ନୂଆ ନିୟମ। ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ପକ୍ଷରୁ ଏହି ନୂଆ ନିୟମ ଜାରି କରାଯାଇଛି। ପ୍ରକାଶିତ ନିର୍ଦ୍ଦେଶନାମା ଅନୁସାରେ, ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଗାଡ଼ି ଚାଳକ ଫାଇନ ଦେବାରୁ ବର୍ତ୍ତିବେ ବୋଲି କୁହାଯାଇଛି। ତେବେ ଗାଡ଼ି ଚାଳକ ଅନଲାଇନ ବୁକିଂ ସ୍ଲିପ୍ ଦେଖାଇଲେ ଚେକିଂରୁ ରକ୍ଷା ପାଇବେ। ୧ ଓ ୨ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ ୩୦ ସେପ୍ଟେମ୍ବରକୁ ବୃଦ୍ଧି ପାଇଛି। ୩ ଓ ୪ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ ସେପ୍ଟେମ୍ବର ୩୦କୁ ବୃଦ୍ଧି ପାଇଛି। ସେହିପରି ୫ ଓ ୬ ଶେଷ ନମ୍ବର ଥିବା ଗାଡ଼ି ପାଇଁ ଅକ୍ଟୋବର ୩୧ ତାରିଖକୁ, ୭ ଓ ୮ ନମ୍ବର ପାଇଁ ନଭେମ୍ବର ୩୦ ତାରିଖକୁ, ୯ ଓ ଶୂନ ପାଇଁ ଡିସେମ୍ବର ୩୧ ଯାଏଁ ଡେଡ୍‌ଲାଇନ୍ ରହିଛି।

ତେବେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ କରିବା ନେଇ ଅନେକ ଲୋକ ସମସ୍ୟାରେ ରହିଛନ୍ତି। ବହୁ ଲୋକ ଆବେଦନ କରିଥିଲେ ହେଁ ଏ ପର୍ଯ୍ୟନ୍ତ ନମ୍ବର ପ୍ଲେଟ୍ ପାଉ ନ ଥିବା ବେଳେ ଅନେକ ସ୍ଲଟ ବୁକିଂ କରିବାରେ ସମସ୍ୟା ଭୋଗୁଛନ୍ତି। ଅନ୍ୟପଟେ ଏଭଳି ନମ୍ବର ପ୍ଲେଟ୍ କରିବାର କିଛି ଆବଶ୍ୟକତା ନାହିଁ ବୋଲି ଲୋକେ ମତ ପ୍ରକାଶ କରିଛନ୍ତି। ଗାଡ଼ି କିଣିବା ବେଳେ ଏଭଳି ନମ୍ବର ପ୍ଲେଟ୍ ନ ଦେଇ ଏବେ ସେମାନଙ୍କୁ ଖର୍ଚ୍ଚାନ୍ତ କରି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ହାଇସିକ୍ୟୁରିଟି ନମ୍ବର ପ୍ଲେଟ ବୁକିଂ କରିବା ଓ ଏହାକୁ ପାଇବାରେ ହଇରାଣ ହରକତ ହେବାକୁ ପଡ଼ୁଥିବାରୁ ସରକାରଙ୍କ ଏଭଳି ନିଷ୍ପତ୍ତି ବରୋଧରେ ଜନ ଅସନ୍ତୋଷ ଦେଖାଦେଇଛି।

ସେପଟେ ବନ୍ୟାଜନିତ ସମସ୍ୟା ନିମନ୍ତେ ଅନେକ ଲୋକ ହାଇସିକ୍ୟୁରିଟି ନମ୍ବର ପ୍ଲେଟ କରିପାରି ନାହାନ୍ତି। ଯାହାକୁ ନେଇ ହାଇସିକ୍ୟୁରିଟି ନମ୍ବର ପ୍ଲେଟ କରିବା ନିମନ୍ତେ ସରକାର ନିର୍ଦ୍ଧାରିତ କାରିଥିବା ସମୟ ବଢ଼ାଇବାକୁ ମଧ୍ୟ ବହୁ ଲୋକ ଦାବି କରି ଆସୁଛନ୍ତି।

ଆଉ ୪ ଦିନ ପରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଯାଞ୍ଚ ଆରମ୍ଭ ହେଉଥିବା ବେଳେ ଏହା କେତେ କଡ଼ାକଡ଼ି ହେବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନି। ସୂଚନା ଥାଉକି, ସରକାର ଧାର୍ଯ୍ୟ କରିଥିବା ନିୟମ ଅନୁସାରେ, ଯେଉଁ ଗାଡି ଚାଳକ ନିୟମ ଅନୁସାରେ ସେମାନଙ୍କ ଗାଡିର ନମ୍ବର ପ୍ଲେଟ୍‌ ଲଗାଇବେ ନାହିଁ, ସେମାନଙ୍କୁ ଇ-ଚାଲାଣ ସହିତ ୫ରୁ ୧୦ ହଜାର ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ ।