ଭୁବନେଶ୍ୱର,ଏନ୍ଏନ୍ଏସ୍: ନଭେମ୍ବର ମାସରେ ଭୁବନେଶ୍ୱର ଓ କଟକରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ସମସ୍ତ ଶନିବାର ସରକାରୀ କାର୍ଯ୍ୟାଳୟଗୁଡ଼ିକ ପୂର୍ବଭଳି ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ଏସ୍ଆରସି, ଓସ୍ଡମା, ପୁଲିସ, ଅଗ୍ନିସେବା, ସ୍ୱାସ୍ଥ୍ୟସେବା ଓ ମ୍ୟୁନସିପାଲଟି ପରି ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଅଫିସ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ବୋଲି କୁହାଯାଇଛି । ଯଦି ଏହି ସମୟରେ କୌଣସି ସରକାରୀ କର୍ମଚାରୀ କରୋନା ସଂକ୍ରମିତ ହୁଅନ୍ତି ତା’ହେଲେ ଗତ ଜୁଲାଇ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ନେଇ ଯେଉଁ ପ୍ରୋଟକଲ/ଗାଇଡଲାଇନ ଜାରି ହୋଇଛି ତାହାକୁ ପାଳନ କରାଯିବ । ଏହାସହ ଯେଉଁ ଅଧିକାରୀ/ଷ୍ଟାଫ୍ଙ୍କୁ ଭିପିଏନ୍ ଦିଆଯାଇଛି ସେମାନେ ରୋଷ୍ଟର ଡ୍ୟୁଟି ନ ଥିବା ବେଳେ ଘରେ ରହି କାର୍ଯ୍ୟ କରିପାରିବେ । ତେବେ ଆବଶ୍ୟକସ୍ଥଳେ ସେମାନଙ୍କୁ ଅଫିସ ଡକାଯାଇପାରିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।