୨୦୨୧ରୁ ୩ ନୂଆ ମେଡିକାଲ୍ କଲେଜରେ ହେବ ନାମଲେଖା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ ମେଡିକାଲ୍ କଲେଜ। ତିନିଟି ନୂତନ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ ପ୍ରତିଷ୍ଠା କାର୍ଯ୍ୟରେ ଅଗ୍ରଗତି ହାସଲ୍ ହୋଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇଥିଲା।
ବୈଠକରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ମହାବିଦ୍ୟାଳୟଗୁଡ଼ିକ ବିଷୟରେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ। ତାଳଚେର ଠାରେ ନିର୍ମାଣାଧୀନ ମହାନଦୀ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନା, ସୁନ୍ଦରଗଡ଼ର ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ଏବଂ ପୁରୀଠାରେ ନିର୍ମାଣାଧୀନ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାର ଅଗ୍ରଗତି ବିଷୟରେ ବୈଠକରେ ସମୀକ୍ଷା କରାଯାଇଥିଲା। ଏହିସବୁ ଅନୁଷ୍ଠାନରେ ଉଚ୍ଚସ୍ତରୀୟ ବିଶେଷଜ୍ଞ ଚିକିତ୍ସା ଉପଲବ୍ଧ ହେବ। ପୁରୀ ମେଡିକାଲ୍ କଲେଜରେ ୨୦୨୧-୨୨ ବର୍ଷରୁ ନାମଲେଖା ଆରମ୍ଭ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏଥିରେ ପ୍ରତିବର୍ଷ ୧୦୦ ଡାକ୍ତରୀ ଛାତ୍ର ନାମ ଲେଖାଇ ପାରିବେ। ସେହିପରି ଏମ୍ସିଏଲ୍ ସହଯୋଗିତାରେ ତାଳଚେରରେ ନିର୍ମାଣ ହେଉଥିବା କଲେଜରେ ମଧ୍ୟ ପ୍ରତିବର୍ଷ ୧୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। ଏହି ମେଡିକାଲ୍ କଲେଜକୁ ଏକ ଟ୍ରଷ୍ଟ୍ ମାଧ୍ୟମରେ ପରିଚାଳନା କରାଯିବ। ସୁନ୍ଦରଗଡ଼ ଜିଲ୍ଲାରେ ଏନ୍ଟିପିସି ସହଯୋଗିତାରେ ନିର୍ମାଣ ହେଉଥିବା ଭେଷଜ ମହାବିଦ୍ୟାଳୟରେ ପ୍ରତିବର୍ଷ ମଧ୍ୟ ୧୦୦ ଡାକ୍ତରୀ ଛାତ୍ର ନାମ ଲେଖାଇ ପାରିବେ। ଡିସେମ୍ବର ଶେଷ ସୁଦ୍ଧା ନିର୍ମାଣ ଓ ସରଞ୍ଜାମ ସ୍ଥାପନ ଆଦି ଶେଷ କରି ନାମଲେଖା ନିମନ୍ତେ ମେଡିକାଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ଅନୁମୋଦନ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ।

ଆୟୋଜିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ ସମେତ ଭେଷଜ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତିଙ୍କ ସମେତ ସମ୍ପୃକ୍ତ ବିଭାଗ, ଏନ୍ଟିପିସି ଓ ଏମ୍ସିଏଲ୍ର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।