ମୋ ସରକାର ଇଫେକ୍ଟ: ଆଉ ୬ ଜିଲ୍ଲାକୁ ଗୁରୁତ୍ୱ, ଫୁଲବାଣୀରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୋ ସରକାର ଟିମର ୨ୟ ଦଫା ଗସ୍ତ ପରେ ସ୍ୱାସ୍ଥ୍ୟସେବାକୁ ଅଧକ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ଫୁଲବାଣୀରେ ମେଡିକାଲ କଲେଜ ଓହସ୍ପିଟାଲ ପ୍ରତିଷ୍ଠା ହେବାସହ ଶଯ୍ୟା ସଂଖ୍ୟା ୫ଶହ ରହିବ ବୋଲି ଘୋଷଣା କରିଛନ୍ତି। ଗତ କିଛି ଦିନ ଧରି ମୋ ସରକାର ଟିମ୍ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ସ୍ୱାସ୍ଥ୍ୟସେବାକୁ ଅନୁଧ୍ୟାନ କରିଥିଲେ। ତେବେ ଅଧିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଯାଇ ୬ଟି ଜିଲ୍ଲା ଉପରେ ଗୁରୁତ୍ୱ ଦିଆଯାଇଛି। ସେହି ଜିଲ୍ଲାଗୁଡିକ ହେଲା ବୌଦ୍ଧ, ନୟାଗଡ, କଳାହାଣ୍ଡି, ରାୟଗଡା, ନୂଆପଡା ଓ କନ୍ଧମାଳ।

ସମସ୍ତ ଜିଲ୍ଲା ହସ୍ପିଟାଲରେ ଆଟେଣ୍ଡାଣ୍ଟ୍ ଅପେକ୍ଷାଗୃହ ରହିବ। ସବୁ ଜିଲ୍ଲାର ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଟଙ୍କା ଅନୁଦାନ ମିଳିବ। ନୂଆପଡା, ରାୟଗଡା, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ରକ୍ତଦାନ କାର୍ଯ୍ୟକ୍ରମ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ଦିଆଯିବ। ବୌଦ୍ଧରେ ନୂଆ ୨ଶହ ଶଯ୍ୟା ସହିତ ଗୋଟିଏ ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡି ଦିଆଯିବ।

ସେହିପରି ନୟାଗଡ ଜିଲ୍ଲା ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୨୫୦କୁ ବୃଦ୍ଧି ପାଇବା ସହ ଜିଲ୍ଲା ମୁଖ୍ୟାଳୟରେ ଅତିରିକ୍ତ କୋଠା ନିର୍ମାଣ କରାଯାଇ ଶଯ୍ୟା ସଂଖ୍ୟା ୧୦୦ ରହିବ। ଏହାସହ ୨ଟି ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡି ଦିଆଯିବ। କଳାହାଣ୍ଡିରେ ମେଡିକାଲ ପାଇଁ ଅତିରିକ୍ତ କୋଠା ନିର୍ମାଣ କରାଯିବା ସହ ୧୦୦ଟି ଶଯ୍ୟା ରହିବ ଓ ୩ଟି ଆମ୍ବୁଲାନ୍ସ ଏବଂ ୨ଟି ମହାପ୍ରୟାଣ ଦିଆଯିବ।

ସେହିପରି ରାୟଗଡାଜିଲ୍ଲା ହସ୍ପିଟାଲ ପାଇଁ ଜଳଯୋଗାଣ ଓ କାଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଷ୍ଟାଫ୍ କ୍ୱାର୍ଟର ନିର୍ମାଣ କରାଯିବ। ଏହାସହ ୪ଟି ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଯୋଗାଇ ଦିଆଯିବ। ନୂଆପଡା ଜିଲ୍ଲା ହସ୍ପିଟାଲରେ ଗୋଟିଏ ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡି ଦିଆଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ଅଧିକ ଲୋକଭିମୁଖୀ ହୋଇଛି। ଡିସେମ୍ବର ୧ତାରିଖ ସୁଦ୍ଧା ମୋ ସରକାର କାର୍ଯ୍ୟକ୍ରମରେ ଅଧିକ ୫ଟି ବିଭାଗ ଓ ୨୦୨୦ ମାର୍ଚ୍ଚ ୫ତାରିଖ ସୁଦ୍ଧା ସମସ୍ତ ବିଭାଗକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।