ଭୁବନେଶ୍ୱର,ଏନ୍ଏନ୍ଏସ୍ : ଆସନ୍ତାକାଲି ଠାରୁ ରାଜ୍ୟରେ କୋଭିଡ୍ -୧୯ ପାଇଁ ନୂତନ ହେଲପ୍ ଲାଇନ୍ ନମ୍ବର ଆରମ୍ଭ ହେବାକୁ ଯାଉଛି । ଏହି ନୂଆ ସ୍ପେଶାଲ ଟେଲି ମେଡିସିନ୍ ହେଲପ୍ ଲାଇନ୍ ନମ୍ବର ହେଉଛି – ୧୪୪୧୦ । କରୋନା ସମ୍ପର୍କରେ କୌଣସି ଶଙ୍କା ଥିଲେ ଏହି ନମ୍ବରକୁ କଲ୍ କରିପାରିବେ । ବୁଧବାର ପୂର୍ବାହ୍ଣ ୧ ଟାରେ ଏହି ସେବାର ଶୁଭାରମ୍ଭ ହେବ ବୋଲି ପ୍ରଶାସନିକ ଅଧିକାରୀ କ୍ରିଶନ କୁମାର ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏଥିରେ ସ୍ୱତଃ ସେବା ପାଇଁ ଆଗେଇ ଆସିଥିବା ୩୦୦ ଜଣ ଡାକ୍ତର ପରାମର୍ଶ ଦେବେ । ଏହି ନମ୍ବରରେ ଥିବା ଆଇଭିଆର ସିଷ୍ଟମ୍ କଲ୍ କରିଥିବା ବ୍ୟକ୍ତିଙ୍କ ତାଙ୍କ ଲକ୍ଷଣ ଏବଂ ଟାଭେଲ୍ ହିଷ୍ଟ୍ରି ସମ୍ପର୍କରେ ପଚାରିବେ । ଏହି ହିଷ୍ଟ୍ରି ଅନୁଯାୟୀ ରିପୋର୍ଟ ପ୍ରସ୍ତୁତ ପରେ ଦାୟିତ୍ୱରେ ଥିବା ଡାକ୍ତର ସମ୍ପୃକ୍ତ ବ୍ୟକ୍ତିଙ୍କୁ କଲ୍ କରିବେ ।ଡାକ୍ତର ତାଙ୍କୁ ଲକ୍ଷଣ ଅନୁଯାୟୀ ଚିକିତ୍ସା ସମ୍ପର୍କରେ ସୂଚନା ଦେବେ । ଆବଶ୍ୟକ ମନେ କଲେ ନମୁନା ପରୀକ୍ଷା ସମ୍ପର୍କରେ କହିବେ ।
ସେ ଆହୁରି କହିଛନ୍ତି ଯେ କରୋନା ପାଇଁ ଜାରି ହୋଇଥିବା ୧୦୪ ହେଲପ୍ ଲାଇନରେ ଦୈନିକ ୧୨ ରୁ ୧୪ ହଜାର କଲ୍ ଆସୁଛି । ରାଜ୍ୟରେ କୋଭିଡ୍ ୧୯ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ଏହା ବିଷୟରେ ଜାଣିବାକୁ ଚାହୁଁଛନ୍ତି । ଏହାକୁ ଦୃଷ୍ଟିରେ ରଖି ନୂଆ ସ୍ପେଶାଲ ଟେଲି ମେଡିସିନ୍ ହେଲପ୍ ଲାଇନ୍ ଆରମ୍ଭ କରିବାକୁ ଯାଉଛୁ ବୋଲି ସେ କହିଛନ୍ତି ।