ଆକାଶଙ୍କ ବିରୋଧରେ ନୂଆ ମାମଲା, ଫାଙ୍କିଛନ୍ତି ୬୫ଲକ୍ଷ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି। ମିଛ ପ୍ରମାଣ ପତ୍ର ଦେଇ ଫ୍ଲାଇଟ ବୁକିଂ କରି ସ୍କାଏ କିଙ୍ଗ ସଂସ୍ଥାକୁ ଠକିଥିବା ନେଇ ଖାରବେଳନଗର ଥାନାରେ ମାମଲା ରୁଜୁ ହୋଇଛି। ଏଥିରେ ଅଭୟକାନ୍ତଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମ୍ଡି ବୋଲି ପରିଚୟ ଦେବା ସହ ଜାଲ ପ୍ରମାଣପତ୍ର ଦେଖାଇ ଜନପଥର ଓସିଏଚ୍ସି କମ୍ପେ୍ଲକ୍ସରେ ଥିବା ‘ସ୍କାଏ କିଙ୍ଗ’ ଟ୍ରାଭେଲ ଏଜେନ୍ସିକୁ ଇ-ମେଲ କରିଥିଲେ। ୨୦୨୦ ଜୁନ ମାସରେ ଏକ ଚାଟାର୍ଡ ଫ୍ଲାଇଟ ଓ ହୋଟେଲ ବୁକିଂ କରିବାକୁ କହିଥିଲେ। ସ୍କାଏ କିଙ୍ଗ ପକ୍ଷରୁ ମଧ୍ୟ ଏକ ଫ୍ଲାଇଟ ଓ ହୋଟେଲ ବୁକିଂ କରାଯାଇଥିଲା।

ଏହି ବାବଦରେ ମୋଟ ୨କୋଟି ୭୮ ଲକ୍ଷ ୩୯ ହଜାର ୮୭ ଟଙ୍କା ବିଲ୍ ହୋଇଥିଲା। ସେ ୨କୋଟି ୧୩ଲକ୍ଷ ୨୨ ହଜାର ୮୫୪ ଟଙ୍କା ଦେଇଥିଲେ। ବାକି ୬୫ଲକ୍ଷ ୧୬ ହଜାର ୨୩୩ ଟଙ୍କା ଦେଇନଥିଲେ। ବାରମ୍ବାର ମାଗିବାରୁ ସେ ଧମକଚମକ ଦେଇଥିଲେ। ଏଥିରେ ତାଙ୍କ ବାପା ଅଭୟକାନ୍ତ ମଧ୍ୟ ସହଯୋଗ କରିଥିଲେ। ଏବେ ସେ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ସ୍କାଏ କିଙ୍ଗର ମାନେଜିଙ୍ଗ ପାର୍ଟନର ପ୍ରଭାଶ କୁମାର ଚୌଧୁରୀ ଖାରବେଳନଗର ଥାନାରେ ଏତଲା ଦାୟର କରିଛନ୍ତି। ଉକ୍ତ ଏତଲାକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।