ପାଠକଙ୍କ ପୁରୁଣା ଫାଇଲ ଘାଣ୍ଟୁଛି ଏସଆଇଟି : ଆକାଶଙ୍କ ଆକାଉଣ୍ଟରୁ ମିଳିଲା ୧୪.୭୭କୋଟି

ସିସିଟିଭି ଫୁଟେଜ ଓ ଗୁରୁତ୍ୱପୂର୍ଣ୍ଣ ଫାଇଲ ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନିଲମ୍ବିତ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଆମାପ ସମ୍ପତ୍ତିର ଖୋଳତାଡ଼ ଆରମ୍ଭ ହୋଇଛି। ଭିଜିଲାନ୍ସର ଏସଆଇଟି ମଙ୍ଗଳବାର ତାଙ୍କ ପୁରୁଣା ଫାଇଲକୁ ଘଣ୍ଟାଚକଟା କରିଛି। ଶ୍ରୀ ପାଠକ ଯେଉଁ ସବୁ ଜାଗାରେ ପୋଷ୍ଟିଂ ହୋଇଥିଲେ ଭିଜିଲାନ୍ସ ସେ ସବୁ ଜାଗାରେ ଚଢ଼ଉ କରିଛି। ଚଢ଼ଉ ବେଳେ ସରକାରୀ ବାସଭବନରେ ଲାଗିଥିବା ସିସିଟିଭି ଫୁଟେଜ ଓ ଅରଣ୍ୟଭବନରେ ଥିବା ଅଫିସରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଜବତ କରିଛି। ବ୍ୟାଙ୍କ ଅଧିକାରୀଙ୍କୁ ଜେରା ଓ କାଗଜପତ୍ର ଯାଞ୍ଚ ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ପାଠକଙ୍କ ପୁଅର ଭୁବନେଶ୍ୱର ଓ ପୁଣେରେ ଥିବା ୩ଟି ଆକାଉଣ୍ଟରେ ମୋଟ ୧୪କୋଟି ୭୭ ଲକ୍ଷ ଟଙ୍କା ଜମା ହୋଇଥିବା ଜଣାପଡିଛି। ଏସବୁ ମଧ୍ୟରେ ୯.୪୮ କୋଟି ନଗଦ ଓ ୫.୨୯ କୋଟି ଟ୍ରାନ୍ସଫର/କ୍ଲିୟରାନ୍ସ ଭାବେ ଆକାଉଣ୍ଟରେ ଜମା ହୋଇଛି। ଏଥିସହିତ ଜମିଜମା ଓ ଶିକ୍ଷାଗତ ବାବଦ ଖର୍ଚ୍ଚର ଯାଞ୍ଚ କରାଯାଉଛି।
ଦୁଇଦିନର ଛୁଟି ପରେ ଭିଜିଲାନ୍ସର ଏସଆଇଟି ଆକ୍ସନ ମୁଡକୁ ଆସିଛି। ଗଠିତ ୨୦ଜଣିଆ ଏସଆଇଟି ୧୨ଟି ଟିମରେ ବିଭକ୍ତ ହୋଇ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜାଗାରେ ଚଢ଼ଉ କରିଛି। ଚଢ଼ଉ ବେଳେ ଚାକିରି ଜୀବନ ଭିତରେ ଏତେ ଟଙ୍କା, ଦାମୀ ଘର ଓ ଗାଡି ଆଦି କେମିତି ସମ୍ଭବ ହେଲା ? ପୁଣେ, ମୁମ୍ବାଇ, ପାଟଣାରେ ଏକାଧିକ ଘର ଓ ଫ୍ଲାଟ୍ କେମିତି କିଣିଲେ। ସେ ନେଇ ଏସଆଇଟି ଛାନଭିନ କରୁଛି। ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନ, ପିସିସିଏଫ ଅଫିସ ଓ ସଚିବାଳୟର ଜଙ୍ଗଲ ଓ ପରିବେଶ ବିଭାଗରେ ମଧ୍ୟ ଏସଆଇଟି ତନାଘନା କରୁଛି।
୧୯୮୭ ବ୍ୟାଚର ଆଇଏଫଏସ୍ ଅଭୟକାନ୍ତ ପାଠକ ୩୩ ବର୍ଷ ଚାକିରି କାଳରେ ଯେଉଁ ସବୁ ଜାଗାରେ ପୋଷ୍ଟିଂ ହୋଇଥିଲେ, ଏସଆଇଟି ସେସବୁ ସ୍ଥାନକୁ ଯାଇ ଖୋଳତାଡ଼ କରୁଛି। ଭୁବନେଶ୍ୱର ସରକାରୀ ବାସଭବନ, ଅଫିସ ଓ ସଚିବାଳୟରେ ଥିବା ଜଙ୍ଗଲ ଓ ପରିବେଶ ବିଭାଗ ସହିତ ରାଜଗାଙ୍ଗପୁର, ସମ୍ବଲପୁର, ବଲାଙ୍ଗିର, ଅନୁଗୁଳ, ବୌଦ୍ଧ, କୋରାପୁଟ ଓ ବ୍ରହ୍ମପୁରରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ କାଗଜପତ୍ର ଜବତ କରିଛି।
ଅନୁଗୁଳ ଡିଏଫଓ ଅଫିସରେ ଭିଜିଲାନ୍ସର ୪ ଜଣିଆ ଟିମ୍ ଯାଞ୍ଚ କରିଛି। ବିଭିନ୍ନ କାଗଜପତ୍ର ସହ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିଛି। ୧୯୯୩ରୁ ୯୪ ପର୍ଯ୍ୟନ୍ତ ପାଠକ ଅନୁଗୁଳ ଡିଏଫ୍ଓ ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ ତାଙ୍କର କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ଏସଆଇଟି ପଚରାଉଚରା କରିଛି। ସେହିଭଳି ସମ୍ବଲପୁରରେ ମଧ୍ୟ ରେଡ୍ ହୋଇଛି। ସମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ପୂର୍ବରୁ ପାଠକ ଚାକିରି କରୁଥିବା ଆରସିସିଏଫ ଅଫିସରେ ଚଢଉ କରାଯାଇଥିଲା। ଏଥିସହିତ ସମ୍ବଲପୁରରେ ଥିବା ତାଙ୍କ ଆର୍ଥିକ କାରବାରର ତଥ୍ୟ ଜାଣିବା ଲାଗି ବିଭିନ୍ନ ବ୍ୟାଙ୍କକୁ ନୋଟିସ ଜାରି କରାଯାଇଛି।
ବଲାଙ୍ଗିରରେ ମଧ୍ୟ ଭିଜିଲାନ୍ସ ଚଢଉ କରିଛି। ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଚାରି ବର୍ଷ ଧରି ପାଠକ ବଲାଙ୍ଗିର କେନ୍ଦୁପତ୍ର ଡିଭିଜନର ମୁଖ୍ୟ ବନ ସଂରକ୍ଷକ ଥିଲେ। ବଲାଙ୍ଗିର ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟ, ଓଡ଼ିଶା ବନ ଉନ୍ନୟନ ନିଗମ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଥିଲା। ଏଥିସହିତ ବଲାଙ୍ଗିରର ୨୦ଟି ବ୍ୟାଙ୍କକୁ ଯାଇ ମଧ୍ୟ ଭିଜିଲାନ୍ସ ଖୋଳତାଡ଼ କରିଛି। ସେହିପରି ବ୍ରହ୍ମପୁର, ବୌଦ୍ଧ, କୋରାପୁଟ, ସମ୍ବଲପୁର ଓ ରାଜଗାଙ୍ଗପୁରରେ ମଧ୍ୟ ଅନୁରୂପ ଭାବେ ଭିଜିଲାନ୍ସ ଚଢ଼ଉ କରି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।
ଏଥିସହିତ ଭିଜିଲାନ୍ସ ପିସିସିଏଫଙ୍କୁ ଚିଠି ଲେଖି ପାଠକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଛି। ସେଥିରେ ତାଙ୍କର ଦରମା, ଜିପିଏଫ ଓ ଚାକିରି କାଳରେ ସ୍ଥାବର ସମ୍ପତ୍ତି ପାଇଁ ନେଇଥିବା ଅନୁମତି ଆଦି ସମ୍ପର୍କରେ ସବିଶେଷ କାଗଜପତ୍ର ମାଗିଛି। ଏପରିକିି ସେ କାର୍ଯ୍ୟରେ ଯୋଗ ଦେବା ପରଠାରୁ କେଉଁ ଜାଗାରେ ଓ କେଉଁ ପଦବୀରେ ଥିଲେ, ସେନେଇ ମଧ୍ୟ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ ରହିଛି।