ବିଜୁ ମହିଳା ଜନତା ଦଳରେ ନୂଆ ନିଯୁକ୍ତି, ୩ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମହିଳାଙ୍କ ଉପରେ ବିଜେଡିର ଫୋକସ। ଦଳର ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗରେ ମହିଳାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତ ଦେଇଛନ୍ତି। ସଙ୍ଗଠନକୁ ମଜଭୁତ କରିବା ଲାଗି ଅଭିଜ୍ଞ ଓ ଯୁବ ବର୍ଗଙ୍କୁ ଗୁରୁତ୍ୱ ଦେଇଛନ୍ତି ନବୀନ । ସମସ୍ତଙ୍କୁ ସନ୍ତୁଷ୍ଟ କରିବା ନୀତିରେ ନୂଆ ପଦ ସୃଷ୍ଟି କରି ଥଇଥାନ ବା ଦାୟିତ୍ୱ ଦେଇଛି ଦଳ। ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ। ଆଜି(ରବିବାର) ବିଜେଡି ଉପଦେଷ୍ଟା, କାର୍ଯ୍ୟକାରୀ ସଭାପତି, ସମ୍ପାଦକ ଜେନେରାଲ, ରାଜ୍ୟ କୋଷାଧ୍ୟକ୍ଷ, ସୋସିଆଲ ମିଡ଼ିଆ ସଂଯୋଜକ, ଜୋନ୍ ସଭାପତି, ବରିଷ୍ଠ ଉପ-ସଭାପତି, ଉପ ସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କ ତାଲିକା ଜାରି କରିଛି ଦଳ। ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିସ୍ କ୍ରମେ ନୂଆ ନିଯୁକ୍ତିରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ।

ଦଳର ରାଜ୍ୟ କାର୍ଯ୍ୟାଳୟରେ ଉପଦେଷ୍ଟା ଭାବେ ୪ ଜଣଙ୍କୁ ନିଯୁକ୍ତି ଦେଇଛି ଦଳ। ଏହି ଲିଷ୍ଟରେ ଜଣେ ଲେଖାଏଁ ସାଂସଦ, ପୂର୍ବତନ ସାଂସଦ, ବିଧାୟକ ଓ ପୂର୍ବତନ ବିଧାୟକ ଅଛନ୍ତି। ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଯାଜପୁରର ପୂର୍ବତନ ସାଂସଦ ରୀତା ତରାଇ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କୁ ନିଯୁକ୍ତ କରାଯାଇଛି।

ସେହିଭଳି କାର୍ଯ୍ୟକାରୀ ସଭାପତି ଭାବେ ୩ ଜଣଙ୍କୁ ନିଯୁକ୍ତି ଦେଇଛି ଦଳ। ସୁଭାଶିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି। ଜିଲ୍ଲା ରାଜନୀତିରୁ ସିଧାସଳଖ ରାଜ୍ୟ ରାଜନୀତିକୁ ଲମ୍ଫ ମରିଛନ୍ତି ସୁଭାଶିନୀ ଜେନା। ସୁଭାଶିନୀ ଜେନା ହେଉଛନ୍ତି ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ପତ୍ନୀ ତଥା ଜିଲ୍ଲାର ଜଣାଶୁଣା ସମାଜସେବୀ। ୨୦୧୯ ସାଧାରଣ ନିର୍ବାଚନ ଓ ବାଲେଶ୍ୱର ଉପ ନିର୍ବାଚନରେ ସେ ପ୍ରାର୍ଥୀ ହେବା ସର୍ବାଧିକ ଚର୍ଚ୍ଚାରେ ଥିଲେ। ସେହିପରି ମହିଳା ଏବଂ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ତଥା ଦଳୀୟ ମୁଖପାତ୍ର ସୁଲତା ଦେଓଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛି ଦଳ।

ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦକ ଭାବେ କସ୍ତୁରୀ ମହାପାତ୍ର, ରାଜ୍ୟ କୋଷାଧ୍ୟକ୍ଷ ଜୟଶ୍ରୀ ଦାସ, ସୋସିଆଲ୍ ମିଡିଆ କୋଅର୍ଡିନେଟର ଭାବେ ମାନସୀ ସୁନ୍ଦରରାୟଙ୍କୁ ନିଯୁକ୍ତ କରାଯାଇଛି। ଭୁବନେଶ୍ୱର, କଟକ, ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗିର ଆଦି ୫ଟି ଜୋନରେ ସଭାପତି ସହ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି। ଗଞ୍ଜାମ ଓ କୋରାପୁଟ ଜୋନରେ ସଭାପତିଙ୍କୁ ମଧ୍ୟ ନିଯୁକ୍ତ ମିଳିଛି।

ବରିଷ୍ଠ ଉପସଭାପତି ଭାବେ ୯ ଜଣଙ୍କୁ ନିଯୁକ୍ତ କରାଯାଇ ଥିବାବେଳେ ଉପସଭାପତି ଭାବେ ୨୭ ଜଣ, ସାଧାରଣ ସମ୍ପାଦକ ଭାବେ ୩୫, ସମ୍ପାଦକ ଭାବେ ୩୬, ଯୁଗ୍ମ ସମ୍ପାଦକ ଭାବେ ୨୮ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ୩୩ଟି ସାଙ୍ଗଠନିକ ଜିଲ୍ଲାରେ ୩୩ ଜଣଙ୍କୁ ସଭାପତି ଭାବେ ନିଯୁକ୍ତ କରାଯାଇଛି। ବିଜୁ ମହିଳା ଜନତା ଦଳର ଏକ୍ଜିକ୍ୟୁଟିଭ୍ ବଡି ମେମ୍ବର ଭାବେ ୬୯ ଜଣଙ୍କୁ ନିଯୁକ୍ତ କରାଯାଇଛି।