ଭାରତୀ ଓ ହର୍ଷଙ୍କ ବିରୋଧରେ ଏନସିବି ଦାଖଲ କଲା ଚାର୍ଜସିଟ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାରେ ଅନେକ ମନୋରଞ୍ଜନ ଦୁନିଆର କଳାକାରଙ୍କ ନାଁ ସାମ୍ନାକୁ ଆସିଥିଲା । ଏଥିରେ କମେଡି କୁଇନ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ ମଧ୍ୟ ସାମିଲ ଥିଲେ । ଆଉ ଏବେ ଏନସିବି ଭାରତୀ ଓ ହର୍ଷଙ୍କ ବିରୋଧରେ ୨୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ଏଥିସହିତ ଖୁବ୍‌ଶୀଘ୍ର ଉଭୟଙ୍କ ବିରୋଧରେ କୋର୍ଟରେ ମାମଲା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ,୨୦୨୦ ମସିହାରେ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ଅନ୍ଧେରୀସ୍ଥିତ ବାସଭବନରୁ ଗଞ୍ଜେଇ ଜବତ ହୋଇଥିଲା । ପରେ ଏନସିବି ଉଭୟଙ୍କୁ ଗିରଫ କରିଥିଲା । ଗିରଫ ହେବାର ୨ଦିନ ପରେ ଉଭୟଙ୍କୁ ୧୫ ହଜାର ଟଙ୍କା ମୁଚ୍ଚାଳିକାରେ ଜାମିନ ମିଳି ଯାଇଥିଲା । ଭାରତୀ ଓ ହର୍ଷ ଗଞ୍ଜେଇ ସେବନ କରିବା କଥା ସ୍ୱୀକାର କରିଥିବା ନେଇ ଏନସିବି ଅଧିକାରୀ ସୂଚନା ପ୍ରଦାନ କରିଥିଲେ ।