ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର,

ମୋ ଝିଅକୁ ହତ୍ୟା କରାଯାଇଛି: ସ୍ୱାତୀର ବାପା

ନୟାଗଡ଼,ଏନ୍ଏନ୍ଏସ୍: ପାଞ୍ଚ ଦିନର ଖୋଳତାଡ଼ ପରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବଧିପାଟଣା ଗ୍ରାମର ଚର୍ଚ୍ଚିତ ସ୍ୱାତୀ ନିଖୋଜ ଘଟଣା ଉପରୁ ପରଦା ହଟିଛି। ଗାଁର ତଅଁଳା ସାହିସ୍ଥିତ ନେଳି ଗାଡ଼ିଆରୁ ଆଜି ଭାସମାନ ଅବସ୍ଥାରେ ୩ ବର୍ଷିୟା ସ୍ୱାତୀର ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକେ ଘଟଣାସ୍ଥଳକୁ ଆସି ମୃତଦେହଟି ସ୍ୱାତୀର ବୋଲି ସ୍ପଷ୍ଟ କରିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପୁଲିସ କଟକ ପଠାଇଛି।

ପ୍ରକାଶଥାଉ କି, ଆଜି ଦିନ ୧୧ଟାରେ ପୋଖରୀ ନିକଟରେ କିଛି ପିଲା ଖେଳୁଥିବା ବେଳେ ସେମାନଙ୍କର ଏକ ବଲ ପାଣିରେ ପଡ଼ିଯାଇଥିଲା। ପରେ ସେମାନେ ତାକୁ ଆଣିବାକୁ ଯାଇ ସେଠାରେ ଏକ ଛୋଟ ଛୁଆର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ପିଲାଙ୍କ ଠାରୁ ଖବର ପାଇଁ ଗାଁର ଶହ ଶହ ଲୋକ ପୋଖରୀ ନିକଟରେ ଆସି ରୁଣ୍ଡ ହୋଇଥିଲେ। ସ୍ୱାତୀକୁ ଖୋଜିବା ଲାଗି ୫ ଦିନ ଧରି ବଧିପାଟଣା ଗାଁରେ ଡେରା ପକାଇଥିବା ପୁଲିସ ମଧ୍ୟ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ସାଇଣ୍ଟିଫିକ ଟିମ୍ ମଧ୍ୟ ସେଠାରେ ପହଞ୍ଚି ପାରିପାଶ୍ୱର୍ିକ ସ୍ଥିତି ଯାଞ୍ଚ କରିଥିଲେ। ସ୍ୱାତୀର ମୁଣ୍ଡରେ କିଛି କ୍ଷତ ଚିହ୍ନ ଥିବାର ଦେଖିବାକୁ ମିଳିଛି। ଏହାକୁ ନେଇ ଝିଅକୁ ଗାଁର କେହି ହତ୍ୟା କରିଥିବା ମୃତ ସ୍ୱାତୀର ବାପା ସଞ୍ଜୟ ସାହୁ ସନ୍ଦେହ କରିଛନ୍ତି। ଏପରିକି ଗାଁ ଲୋକଙ୍କ ନାଁ ନେବା ପରେ ତାଙ୍କୁ କିଛି ଲୋକ ପେଲା ଠେଲା କରିବା ସହ ହାତ ଉଠାଇଥିବା ଜଣାପଡ଼ିଛି।

ସ୍ୱାତୀର ବାପା ଜଣାଇଛନ୍ତି ଯେ ଗତକାଲି ରାତିରେ ଗାଁରେ ବୈଠକ ବସିଥିବା ବେଳେ ଚୋର ପଶିଥିବାର କେହିଜଣେ ଆସି ହାଲ୍ଲା କରିଥିଲେ। ପରେ ବୈଠକରୁ ଅଧାରୁ ଅଧିକ ଲୋକ ଉଠିଯାଇ ଚୋରକୁ ପୁରା ଗାଁ ସମେତ, ପାଖ ଜଙ୍ଗଲରେ ଖୋଜାଖୋଜି କରିଥିଲେ। ଚୋରକୁ କେହି ଦେଖିବାକୁ ପାଇଲେନି। ହେଲେ ଆଜି ନେଳି ପୋଖରୀରୁ ଝିଅର ମୃତଦେହ ମିଳିଛି। ଏଣୁ ରାତିରେ ହିଁ କେହି ଏସବୁ କାଣ୍ଡ ଭିଆଇଛି।