ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେଶନ ସର୍ଭେ : ନବୀନ ପୁଣି ନଂ ୧

ଭୁବନେଶ୍ୱର, ଏନ୍ଏନ୍ଏସ୍: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ନମ୍ବର ‘ଏକ’ ହୋଇଛନ୍ତି। ଗୁଜୁରାଟ, ତାମିଲନାଡୁ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଭଳି ବଡ଼ ବଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଦେଶରେ ସବୁଠୁ ‘ଭଲ’ ଓ ‘ଲୋକପ୍ରିୟ’ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେଶନ ସର୍ଭେରେ ନବୀନବାବୁ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇଛନ୍ତି। ସେ ୫୧ ପ୍ରତିଶତ ‘ପଜିଟିଭ ରେଟିଂ’ ପାଇ ସର୍ବାଗ୍ରେ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏଭଳି ସଫଳତା କେବଳ ଉତ୍ତମ କାର୍ଯ୍ୟ ଓ ତାଙ୍କର ସ୍ୱଚ୍ଛ ମନୋଭାବ ପାଇଁ ହିଁ ସମ୍ଭବ ହୋଇଛି। ସେହିପରି ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ତୃତୀୟ ସ୍ଥାନରେ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।
ଶ୍ରୀ କେଜ୍ରିୱାଲ ୪୧ ପ୍ରତିଶତ ପାଇଥିଲାବେଳେ ଯୋଗୀ ଆଦିତ୍ୟନାଥ ୩୯ ପ୍ରତିଶତ ପାଇଛନ୍ତି। ସେହିପରି ମହାରାଷ୍ଟ୍ରରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ୩୫ ପ୍ରତିଶତ ‘ପଜିଟିଭ ରେଟିଂ’ ପାଇଛନ୍ତି। ଶ୍ରୀ ରାଓ ପଞ୍ଚମ ସ୍ଥାନ ପାଇଛନ୍ତି।
ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେଶନ ସର୍ଭେରେ ଏହି ତଥ୍ୟ ପ୍ରକାଶ ପାଇବା ପରେ ଓଡ଼ିଶାରେ ପ୍ରାୟ ସବୁ ସ୍ଥାନରେ ଖୁସିର ବାତାବରଣ ସୃଷ୍ଟି ହୋଇଛି। ତାଙ୍କ ସଫଳତା ହେଉଛି ରାଜ୍ୟର ସଫଳତା। ସେଥିପାଇଁ ପୂରା ରାଜ୍ୟରୁ ଶୁଭେଚ୍ଛା ଆସିବାରେ ଲାଗିଛି। ବିଜେଡିର ନେତା ଓ କର୍ମୀମାନେ ମିଷ୍ଟାନ୍ନ ବଣ୍ଟନ ସହିତ କିଛି ସ୍ଥାନରେ ବାଣ ଫୁଟାଇଥିବାର ଜଣାପଡ଼ିଛି।
ଉଲ୍ଲେଖନୀୟ ଯେ ଏଇ କିଛି ଦିନ ପୂର୍ବରୁ ସି’ ଭୋଟର ଓ ଏଭିପି ନ୍ୟୁଜ୍ ଚ୍ୟାନେଲ ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ। ସେତେବେଳେ ବି ନବୀନ ଲୋକପ୍ରିୟତାରେ ଶୀର୍ଷରେ ଥିଲେ। ଏବେ ପୁଣି ନମ୍ବର ଏକ ହେବା ରାଜ୍ୟ ପାଇଁ ଖୁସି ଆଣି ଦେଇଛି।