ଉପକୂଳ ଓଡ଼ିଶାର ଲାଇଫଲାଇନ୍ ହେବ କୋଷ୍ଟାଲ୍ ହାଇୱେ: ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରାପଡ଼ା, ଏନ୍ଏନ୍ଏସ୍: ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାୟ ୯ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ୪୫୧ କିମିର ଦୀଘା-ଗୋପାଳପୁର ଉପକୂଳ ରାଜପଥ ପ୍ରକଳ୍ପ ତଥା କୋଷ୍ଟାଲ ହାଇୱେ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଉପକୂଳ ଓଡ଼ିଶାର ଲାଇଫଲାଇନ୍ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଖୁବ ଶୀଘ୍ର କେନ୍ଦ୍ରାପଡାରେ ହରିଦାସପୁର-ପାରାଦୀପ ରେଳଲାଇନ(ଯାତ୍ରୀବାହୀ ଏବଂ ମାଲବାହୀ)ର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶା ସରକାର ଓ ଭାରତ ସରକାର ମିଳିତ ଭାବରେ ଦୀଘା-ଗୋପାଳପୁର ଉପକୂଳ ରାଜପଥ ପ୍ରକଳ୍ପକୁ ଆଗକୁ ନେବାର ଯୋଜନା କରୁଛନ୍ତି। ପୂର୍ବୋଦୟରେ ପୂର୍ବ ଭାରତର ବିକାଶକୁ ପ୍ରଧାନମନ୍ତ୍ରୀ ପ୍ରଧାନ୍ୟ ଦେଉଛନ୍ତି। ଏହି କୋଷ୍ଟାଲ ହାଇୱେ ହେଲେ ଉପକୂଳ ଓଡ଼ିଶାର ଶିଳ୍ପ, ପର୍ଯ୍ୟଟନ,
କୃଷି ଓ ଆନୁସାଙ୍ଗିକ କ୍ଷେତ୍ରରେ ଏହା ଲାଇଫଲାଇନ୍ ସଦୃଶ ହେବଷ। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବରକନ୍ଧା ପଞ୍ଚାୟତର ଆଖଡ଼ାଶାଳି ଠାରେ ମହାନଦୀର ଶାଖା ନଦୀରେ ଏକ ବନ୍ଦର ପ୍ରତିଷ୍ଠା ହେବ। ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଅଧିକ ଲୋକ ନିଯୁକ୍ତି ପାଇବାର ଆକଳନ କରାଯାଇଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ହରିଦାସପୁର ପାରାଦୀପ ରେଳଲାଇନ କେନ୍ଦ୍ରାପଡ଼ା ଜିଲ୍ଲାର ଆର୍ôଥକ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ। ଏଥିପାଇଁ ପାରାଦୀପ ବନ୍ଦର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ନୀତିଗତ ଅନୁମୋଦନ ହୋଇସାରିଥିବାବେଳେ ଖୁବଶୀଘ୍ର ଏମଓୟୁ ହେବ ବୋଲି ସେ ଜଣାଇଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପାରାଦୀପରେ ୱେଷ୍ଟନ୍ ଡକ୍ ନିର୍ମାଣର ବିକାଶ ସମେତ “ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ବନ୍ଦର ସୁବିଧା ବଢାଇବା” ସମ୍ପର୍କୀତ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ୩ ହଜାର ୪ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ସରକାରୀ ଓ ବେସରକାରୀ ସହଯୋଗ ତଥା ପିପିପି ମୋଡ଼ରେ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣରେ ମହତ୍ୱପୂର୍ଣ୍ଣ ଭୂମିକା ନେବ। ପାରାଦୀପ ବନ୍ଦରରେ ଏହି ବିକାଶର କାମ ଖୁବଶୀଘ୍ର ଆରମ୍ଭ ହେବ। ପାରାଦୀପ ବନ୍ଦରକୁ ବଡ଼ ବଡ଼ ଜାହାଜ ଆସିବା ନେଇ ଯେଉଁ ସମସ୍ୟା ହେଉଥିଲା, ତାହା ଏବେ ଦୂର ହେବ ଓ ବନ୍ଦରରେ ଶିଳ୍ପ ଅର୍ଥନୀତିକୁ ବୃଦ୍ଧି କରିବା ସହ ଅଧିକ ରୋଜଗାର ସୃଷ୍ଟି ହେବ। ଏହାସହ ଖୁବଶୀଘ୍ର କେନ୍ଦ୍ରାପଡାରେ ଇସ୍ପାତ୍ କାରଖାନା ନିର୍ମାଣ ହେବାର ସମ୍ଭାବନା ତିଆରି ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ହରିଦାସପୁର-ପାରାଦୀପ ରେଳଲାଇନର ଉଦଘାଟନ ବେଳେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ରେଳ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀ ମଧ୍ୟ ସାମିଲ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।