ବାଘୁଣୀ ଖଇରୀର ପାଳିତ ମା’ ନଳିନୀଙ୍କ ପରଲୋକ

କଟକ,ଏନ୍‌ଏନ୍‌ଏସ୍: ୮୦ ଦଶକରେ ଖଇରୀ ନାମକ ଏକ ବାଘୁଣୀକୁ ପାଳି ବେଶ୍ ଚର୍ଚ୍ଚିତ ହୋଇଥିବା ସାହସୀ ମହିଳା ନିହାର ନଳିନୀ ସ୍ୱାଇଁଙ୍କ ପରଲୋକ ଘଟିଛି। ମଙ୍ଗଳବାର ରାତିରେ କଟକ ସିଦ୍ଧେଶ୍ୱର ସାହିସ୍ଥିତ ଆର୍ଶୀବାଦ ବୃଦ୍ଧାଶ୍ରମରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଖିଆପିଆ ସାରି ଶୋଇବାକୁ ଯାଇଥିଲାବେଳେ ନଳନୀ ଆଉ ଉଠିନଥିଲେ। ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। କିଛିଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ନଳିନୀ ସିନା ମଣିଷ ଦେହୀ ହୋଇଥିଲେ ମଧ୍ୟ ଗୋଟିଏ ବାଘୁଣୀର ମା’ ପାଲଟି ଯାଇଥିଲେ। ତାଙ୍କ ସ୍ନେହ ଆଦର ସ୍ପର୍ଶରେ ବାଘୁଣୀ ବସିଭୂତ ହୋଇ ମଣିଷ ଭଳି ବ୍ୟବହାର କରିଥିଲା। ନଳିନୀ ଓ ତାଙ୍କ ସ୍ୱାମୀ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ତତ୍କାଳୀନ ନିର୍ଦ୍ଦେଶକ ସରୋଜ ରାୟ ଚୌଧୁରୀଙ୍କ ପରିବାରର ଏକ ସଦସ୍ୟା ପାଲଟି ଯାଇଥିଲା ବାଘୁଣୀ। ଏହି ନିଃସନ୍ତାନ ଦମ୍ପତ୍ତିଙ୍କୁ ସନ୍ତାନର ଅଜାଡ଼ି ଦେଇଥିଲା ବାଘୁଣୀ ଖଇରୀ।

୧୯୭୪ ମସିହାରର ସ୍ୱାମୀଙ୍କ ସହ ଖଇରା ନଦୀ କୂଳରେ ବୁଲୁଥିଲାବେଳେ ଏକ ବାଘ ଛୁଆଟିଏ ପାଇଥିଲେ ନଳିନୀ। ତାକୁ ଘରକୁ ଆଣି ପାଳିପୋଷି ବଡ଼ କରିଥିଲେ। ଖଇରା କୂଳରୁ ପାଇଥିବାରୁ ନଳିନୀ ତା’ ନାଁ ରଖିଥିଲେ ଖଇରୀ। ଛୋଟରୁ ବଡ଼ ହୋଇ ଖଇରୀ ଘରର ସଦସ୍ୟ ଭାବେ ରାଜ୍ କରିଥିଲା। ନଳିନୀ ଓ ସରୋଜଙ୍କ ସହିତ ସେ ଖାଉଥିଲା ପିଉଥିଲା, ତାଙ୍କ ବେଡ୍‌ରେ ବି ଶୋଉଥିଲା। ଏହି ଦମ୍ପତିଙ୍କ ସ୍ନେହ ,ଶ୍ରଦ୍ଧା ଓ ଲାଳନପାଳନ ଏପରି ଥିଲା ଯେ ବାଘୁଣୀଟା ଭୁଲିଯାଇଥିଲା ସେ ହିଂସ୍ର ଜନ୍ତୁଟିଏ ବୋଲି, ବରଂ ସେ ମଣିଷ ଭଳି ଭଦ୍ର ବ୍ୟବହାର କରୁଥିଲା। ୮୦ ଦଶକର ଖଇରୀର ନାଁ ଦେଶବିଦେଶରେ ବେଶ୍ ଚର୍ଚ୍ଚିତ ହୋଇଥିଲା। ସେତବେଳେ ନଳିନୀ ଓ ସରୋଜ ଘରେ ବାଘୁଣୀକୁ ପାଳି ଜଙ୍ଗଲ ଜନ୍ତୁଙ୍କ ପ୍ରତି ଦୟାଭାବର ଏକ ନିଆରା ବାର୍ତ୍ତା ସମାଜକୁ ଦେଇଥିଲେ। ସେତେବେଳେ ଯିଏ ବି ଶିମିଳିପାଳ ଯାଉଥିଲେ ସମସ୍ତଙ୍କ ଭିଡ଼ ଜମୁଥିଲା ଖଇରୀ ନିକଟରେ।

ପ୍ରାୟ ୭ବର୍ଷ ଧରି ଖଇରୀ ମଣିଷ ମେଳରେ ବଢ଼ିଥିଲା। ହେଲେ ୧୯୮୧ରେ ଆଖି ବୁଜିଦେଇଥିଲା ଖଇରୀ। ଏକ ପାଗଳ କୁକୁର କାମୁଡ଼ି ଦେବା ଯୋଗୁଁ ଖଇରୀର ମୃତ୍ୟୁ ଘଟିଥିଲା । ଖଇରୀ ମୃତ୍ୟୁ ପରେ ସ୍ୱାମୀ ସରୋଜଙ୍କର ପରଲୋକ ହୋଇଥିଲା। ଏହା ପରେ ଏକୁଟିଆ ହୋଇଯାଇଥିଲେ ନିହାର ନଳିନୀ। ସ୍ୱାମୀଙ୍କ ଦେହାନ୍ତ ପରେ ସେ ଆର୍ଶୀବାଦ ବୃଦ୍ଧାଶ୍ରମରେ ରହୁଥିଲେ। ଖଇରୀ ସହ ବିତାଇଥିବା ସମୟ ତାଙ୍କ ଜୀବନର ଅଭୁଲା ସମୟ ଥିଲା ବୋଲି ସେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ କହୁଥିଲେ। ଗତକାଲି ରାତିରେ ଖାଇପିଇ ଶୋଇଯାଇଥିଲେ। ପରେ ତାଙ୍କୁ ଡାକିବାରୁ ସେ ଉଠିନଥିଲେ। ସଂଗେ ସଂଗେ ତାଙ୍କୁ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ବୁଧବାର ପୂର୍ବାହ୍ଣରେ ଗୋରାକବରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।