ନବରଙ୍ଗପୁରରେ ନାଇଟ କର୍ଫ୍ୟୁ

ନବରଙ୍ଗପୁର, ଏନ୍ଏନ୍ଏସ୍: ମାଲକାନାଗିରି ଜିଲ୍ଲା ପରେ ନବରଙ୍ଗପୁର ଜିଲ୍ଲାକୁ ଫେରିଛି ରାତ୍ରିକାଳୀନ କର୍ଫ୍ୟୁ। ଗୁରୁବାର ଠାରୁ ଅନିର୍ଦ୍ଦିଷ୍ଟ କାଳଯାଏଁ ରାତି ଆଠରୁ ସକାଳ ଛଅଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ସର୍ବସାଧାରଣ ସ୍ଥାନରେ ପାଞ୍ଚ ଜଣରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ। ସେମିନାର, ୱାର୍କସପ, ସମ୍ମିଳନୀ ଆଦି ହୋଇପାରିବ ନାହିଁ । ବିବାହ ଉତ୍ସବ, ରିସେପସନ ପାର୍ଟି, ଯାତ୍ରା ଆଦି ସାମୁହିକ କାର୍ଯ୍ୟକ୍ରମ ବନ୍ଦ ରହିବ। ରାଜନୈତିକ ଶୋଭାଯାତ୍ରା ସମେତ ଦଳଗତ କାର୍ଯ୍ୟକ୍ରମକୁ ବି ମନା। ସମସ୍ତ କଲ୍ୟାଣ ମଣ୍ଡପ ବନ୍ଦ ରହିବ। ଏହି ସମୟ ମଧ୍ୟରେ ହୋଟେଲରେ ନିୟମିତ ଖାଉଥିବା ଲୋକଙ୍କ ପାଇଁ ଅଲଗା ବ୍ୟବସ୍ଥା କରାଯିବ। କାଶ, ଥଣ୍ଡା, ଜ୍ୱର ଆଦି ଲକ୍ଷଣ ଦେଖାଦେଲେ ତୁରନ୍ତ ହେଲ୍ପ ଲାଇନ ନମ୍ବର ୦୬୮୫୮-୨୨୨୪୫୯, ମୋବାଇଲ ନମ୍ବର -୯୪୩୯୯୮୮୭୮୭, ୯୪୩୯୮୮୮୪୩୮, ଜିଲ୍ଲା କୋଭିଡ କଣ୍ଟ୍ରୋଲ ରୁମ ନମ୍ବର -୦୬୮୫୮-୨୨୨୪୩୪କୁ ଜଣାଇ ପାରିବେ। ଯଦି କୌଣସି ବ୍ୟକ୍ତି କୋଭିଡ ନିର୍ଦ୍ଦେଶାବଳିକୁ ଅବମାନନା କରନ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ। ଉଡ଼ନ୍ତା ଖବର ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।